ରାଜ୍ୟରେ ବର୍ଷା ଜାରି, ମାଲକାନଗିରି ଓ ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୧୦ ତାରିଖ ସକାଳ ଯାଏ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଗତ ଦୁଇଦିନ ହେଲା ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି ଓ ରାସ୍ତାଘାଟ ଧୋଇଯାଇଛି। ସେହିପରି ଅଧିକାଂଶ ପୋଲ ଉପରେ ପାଣି ଚାଲୁଥିବାବେଳେ କୋରାପୁଟ ସହିତ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯୋଡ଼ାମ୍ବ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ପଶି ଔଷଧ ପତ୍ର ନଷ୍ଟ ହୋଇଯାଇଥିବାବେଳେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବାବେଳେ ସମ୍ବଲପୁରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। ବର୍ଷା ଜନିତ ସମସ୍ୟାର ସମାଧାନ ପାଇଁ ଏସ୍‌ଆର୍‌ସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ କହିଛନ୍ତି। ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲାପାଳଙ୍କୁ ପ୍ରାକ୍‌ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଲକାନଗିରି ଜିଲାରେ ସ୍ଥିତି ଜଟିଳ ହୋଇଥିବାରୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ମୀଣାଙ୍କୁ ମାଲକାନଗିରି ପଠାଯାଇଛି। ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି।