ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର(ଆଇ-କାର୍ଡ) ସାମାନ୍ୟ ବଦଳିବ । ସବୁଜ ରଙ୍ଗର ଆଇ-କାର୍ଡ ଏବେ ଗେରୁଆ ରଙ୍ଗ ହେବ । ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ୮ମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ। ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ।
ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯିବ। ପିଲାମାନେ ବିଦ୍ୟାଳୟକୁ ଆସିବା ସମୟରେ ତାହାକୁ ବେକରେ ପକାଇ ଆସିବେ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା। ମାତ୍ର ଏଥର ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।