ଆସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପାଠପଢା, ଜାନୁଆରୀ ୨୧, ୨୨, ୨୩ ତାରିଖରେ ଏନେଇ ୱାର୍କସପ ଅନୁଷ୍ଠିତ ହେବ
ଆସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପାଠପଢା । ବାଲବାଟିକାରୁ ଆରମ୍ଭ ଏନଇପି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତା ସହିତ ଜାନୁଆରୀ ୨୧, ୨୨, ୨୩ ତାରିଖରେ ଏନେଇ ୱାର୍କସପ ଅନୁଷ୍ଠିତ ହେବ । ନୂଆ ଶିକ୍ଷାନୀତି ଓଡ଼ିଶାରେ ଲାଗୁ ହେଲେ, ଓଡିଶାର ସ୍କୁଲ ପାଠ ପଢାରେ ବୈପ୍ଲବିକ ପରିବର୍ତ୍ତନ ହେବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ତେବେ ଗଣଶିକ୍ଷା ବିଭାଗରେ ଲାଗୁ ହୋଇଛି ଜାତୀୟ ଶିକ୍ଷା ନୀତି-୨୦୨୦। ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ୧୦,+୨ ଢାଞ୍ଚାରେ ପରିବର୍ତ୍ତନ କରାଯାଇ, ୫,+୩,+୩,+୪ ଢାଞ୍ଚାରେ ପାଠ ପଢିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ। ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ। ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ।
୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ। ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା। ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା। ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ। ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ। ସେହିପରି ଆଞ୍ଚଳିକ ଭାଷାରେ ପାଠ ପଢାଇବାକୁ ଗୁରୁତ୍ବ ଦିଆଯିବ। ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି।