ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ ହେବ ଏଆଇ
ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯିବ। ୨୦୨୬-୨୭ ଶିକ୍ଷାବର୍ଷରୁ ସାରା ଦେଶରେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଣ୍ଟା ଭିଡ଼ିଛି। ଚଳିତବର୍ଷ ଶେଷ ସୁଦ୍ଧା ପାଠ୍ୟ ଉପକରଣ, ହ୍ୟାଣ୍ଡ୍ବୁକ୍ ଓ ଡିଜିଟାଲ୍ ସମ୍ବଳ ପ୍ରସ୍ତୁତି ସହ ନୂତନ ଶିକ୍ଷାବର୍ଷ ଆରମ୍ଭରୁ ପାଠପଢ଼ା ହେବ। ଏହାକୁ ନଜରରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ), ଏନ୍ସିଇଆର୍ଟି, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍) ସମେତ ବିଶେଷଜ୍ଞମାନଙ୍କୁ ନେଇ ଇତିମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସିବିଏସ୍ଇ ପକ୍ଷରୁ ଆଇଆଇଟି ମାଡ୍ରାସ୍ର ପ୍ରଫେସର କାର୍ତ୍ତିକ ରମଣଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଛି। ଏଆଇ ଓ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍(ସିଟି) ଉପରେ ଏହି କମିଟି ପାଠ୍ୟକ୍ରମ ବିକାଶ କରିବ। ସାଧାରଣତଃ ରୋବୋ, କମ୍ପ୍ୟୁଟର ଆଦି ଯନ୍ତ୍ରାଂଶ ଦ୍ୱାରା ପ୍ରସ୍ତୁତ ବୁଦ୍ଧିମତ୍ତାକୁ ଏଆଇ ବୋଲି ବିବେଚନା କରାଯାଉଛି। ଯାହାକି ଶିକ୍ଷା, ଗବେଷଣାଠାରୁ ଆରମ୍ଭ କରି ବୃତ୍ତିଗତ ମାର୍ଗଦର୍ଶନରେ ଛାତ୍ରୀଛାତ୍ରୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ଟୁଲ୍ସ ଓ ସଫ୍ଟୱେର୍ ଡେଭେଲପ୍ମେଣ୍ଟରେ ମଧ୍ୟ କୋଡିଂ ପ୍ରକ୍ରିୟାକୁ ସହଜ କରୁଛି।
