ବର୍ଷ ସାରାର ଜିଡିପି ହାର ୬.୫ ପ୍ରତିଶତ ହୋଇଛି
ଆର୍ଥିକ ବର୍ଷ ୨୦୨୪-୨୫ର ଶେଷ ତିନି ମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୨ ପ୍ରତିଶତ ଭଳି ଉଚ୍ଚ ହାରରେ ଆଗକୁ ବଢ଼ିଥିଲା। ମାତ୍ର ପୂର୍ବମାସଗୁଡ଼ିକରେ ଅର୍ଥନୀତି ଦୁର୍ବଳ ପ୍ରଦର୍ଶନ କରିଥିବାରୁ, ବର୍ଷ ସାରାର ଜିଡିପି ହାର ୬.୫ ପ୍ରତିଶତ ହୋଇଛି। ଗତ ଚାରି ବର୍ଷ ମଧ୍ୟରେ ତାହା ହେଉଛି ସର୍ବନିମ୍ନ ବିକାଶ ହାର। ୨୦୨୩-୨୪ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଥିଲା। ବିଶ୍ବସ୍ତରରେ ଅସ୍ଥିରତା ଓ ଘରୋଇ ନିବେଶ ନିରୁତ୍ସାହଜନ ରହିବା ସତ୍ତ୍ବେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛି।
ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ କୃଷି ଅଭିବୃଦ୍ଧି ୪.୬ ପ୍ରତିଶତ ରହିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ମାତ୍ର ୨.୭ ପ୍ରତିଶତ ଥିଲା। ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୯.୪ ପ୍ରତିଶତକୁ ହ୍ରାସ ପାଇଛି। ପୂର୍ବବର୍ଷ ତାହା ୧୦.୪ ପ୍ରତିଶତ ଥିଲା। ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧିରେ ସର୍ବାଧିକ ହ୍ରାସ ଘଟିଛି। ପୂର୍ବବର୍ଷ ତାହା ୧୨.୩ ପ୍ରତିଶତ ହାରରେ ଆଗକୁ ବଢ଼ିଥିବା ବେଳେ ୨୦୨୪-୨୫ରେ ଏହି ହାର ମାତ୍ର ୪.୫ ପ୍ରତିଶତ ରହିଛି। ସାଧାରଣ ପ୍ରଶାସନ କ୍ଷେତ୍ରର ଅଭିବୃଦ୍ଧି ୮.୯ ପ୍ରତିଶତ, ଆର୍ଥିକ ସେବା ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରର ୭.୨ ପ୍ରତିଶତ, ବାଣିଜ୍ୟ ଓ ହୋଟେଲ୍ ୬.୧ ପ୍ରତିଶତ, ବିଦ୍ୟୁତ୍ ୫.୯ ପ୍ରତିଶତ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ୨.୭ ପ୍ରତିଶତ ରହିଛି। ସୂଚନା ଅନୁସାରେ ଦେଶର ଜିଡିପି ପରିମାଣ ୨୦୨୪-୨୫ରେ ୧୮୭.୯୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ପୂର୍ବବର୍ଷ ୧୭୬.୫୧ ଲକ୍ଷ କୋଟି ଟଙ୍କା ଥିଲା।