ପବିତ୍ର ମହାଶିବରାତ୍ରି ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗୁରୁବାର ରାତି ପାଖାପାଖି ଗୋଟାଏରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ଭୋର୍ ୩ଟାରେ ଖୋଲିଥିଲା ମନ୍ଦିର। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଭୋର୍ ପ୍ରାୟ ୩ଟା ୪୫ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଭକ୍ତମାନେ ଗର୍ଭଗୃହକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ୧୧ଟାରେ ଛାମୁ ପରିଷ୍କାର କରାଯାଇ ମାଘସ୍ନାନ ଓ ପ୍ରଭୁଙ୍କ ବେଶ କରାଯାଇଥିଲା। ଦିନ ୧୨ଟା ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଠାକୁରାଣୀ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ସକାଳଧୂପରେ ସବୁଦିନ ପରି ଆରିସା, ଖେଚୁଡ଼ି, ହଂସକେଳି, ସେଦୁଅ ଭଳି ନାନା ଭୋଗ ଲଗାଯାଇଥିଲା। ପାଖାପାଖି ୩ଟା ୪୦ରେ ଭୋଗ ମଣ୍ଡପ କରାଯାଇଥିଲା। ୪ଟା ପରେ ପୁଣି ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସାହାଣମେଲା ଦର୍ଶନ ପରେ ଛାମୁ ପରିଷ୍କାର କରାଯାଇ ପୁନର୍ବାର ପ୍ରଭୁଙ୍କ ବେଶ କରାଯାଇଥିଲା। ଏଥିସହ ପ୍ରଭୁଙ୍କ ଦ୍ବିପ୍ରହର ଧୂନ ଓ ଭୁବନେଶ୍ବରୀଙ୍କ ଦ୍ବିପ୍ରହର ଧୂପ କରାଯାଇଥିଲା।ରାତି ୧୦ଟା ୪ ମିନିଟ୍ରେ ମନ୍ଦିରରୁ ବାହାରିଲା ମହାଦୀପ, ବେଢ଼ା ପରିକ୍ରମାକରି ୧୦.୧୨ରେ ତାହାକୁ ଧାରଣ କରି ସମର୍ଥା ସେବାୟତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଉପରକୁ ଚଢ଼ିଲେ। ଯୋଗେନ୍ଦ୍ର ସମର୍ଥା ଗୋଟିଏ ହାତରେ ମହାଦୀପ ଧରି ଅତ୍ୟନ୍ତ ଦୁଃସାହସିକତାର ସହ ମନ୍ଦିର ଚୂଡ଼ାକୁ ଅଗ୍ରସର ହେଲେ। ମହାଦୀପ ଯେତିକି ଯେତିକି ମନ୍ଦିର ଉପରକୁ ଉଠୁଥିଲା, ହୁଳହୁଳି ଓ ହରିବୋଲ ସହ ‘ଓଁ ନମଃ ଶିବାୟ’, ‘ହର୍ ହର୍ ମହାଦେବ’ ଓ ‘ଜୟ ପ୍ରଭୁ ଲିଙ୍ଗରାଜଙ୍କର ଜୟ’ ଧ୍ବନି ଗଗନପବନକୁ ସେତିକି ଅଧିକ ପ୍ରକମ୍ପିତ କରୁଥିଲା। ଉପରକୁ ଦୁଇହାତ ଟେକି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି ଶ୍ରଦ୍ଧାଳୁ ନାଚି ଉଠୁଥିଲେ ଭକ୍ତିରେ। ଶେଷରେ ରାତି ୧୦ଟା ୧୫ ମିନିଟରେ ମନ୍ଦିରଚୂଡ଼ାରେ ସ୍ଥାପନ ହୋଇଥିଲା ମହାଦୀପ। ସେ ଅପୂର୍ବ ଦିବ୍ୟଦୃଶ୍ୟକୁ ଦେଖି ଭକ୍ତଙ୍କ ଆଖିରୁ ଝରି ପଡ଼ୁଥିଲା ଆନନ୍ଦାଶ୍ରୁ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post