କରତକଳରୁ ତେର ପରସ୍ତ ପୋଟଳ କାମ ପାଇଁ ପାଞ୍ଚ ପାହିଆ ପଟା ପହଞ୍ଚି ନାହିଁ। ପଟା ରଥଖଳାରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ନଥିବାରୁ ମହାରଣା ସେବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାଠ ପହଞ୍ଚି ନଥିବାରୁ ଧାର୍ଯ୍ୟ ସମୟରେ ରଥକାମ ସାରିବା ଆହ୍ବାନ ପାଲଟିବ ବୋଲି କହିଛନ୍ତି। ରଥଯାତ୍ରାକୁ ଆଉ ମାତ୍ର ୧୩ ଦିନ। ତୃତୀୟ ଭୂଇଁ ଉଠିସାରିଥିଲେ ହେଁ ପୋଟଳ ଭଳି ସମୟସାପେକ୍ଷ କାମ ସହ ଦୁଆରବେଢ଼ା, ଚନ୍ଦ୍ରଶାଳି, ପାରାଭାଡ଼ି କାମ ହୋଇନାହିଁ। ତେଣୁ ରଥଯାତ୍ରାର ୧୦ ଦିନ ପୂର୍ବରୁ କାମ ସାରିବା ନେଇ ମହାରଣା ସେବକମାନେ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ସମ୍ଭବ ହେବ ନାହିଁ ବୋଲି ପରୋକ୍ଷରେ ସ୍ବୀକାର କରିସାରିଲେଣି।ଖାଲି ସେତିକି ନୁହେଁ, ନନ୍ଦିଘୋଷ ରଥର ଦଣ୍ଡା ତିଆରି ପାଇଁ ଯୋଗାଇ ଦିଆଯାଇଥିବା କାଠରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବନ ବିଭାଗ ପକ୍ଷରୁ ଏଥିପାଇଁ ଯୋଗାଇ ଦିଆଯାଇଥିବା ୪୦ ଫୁଟିଆ କାଠ ମଧ୍ୟରୁ କିଛି କାଠକୁ ଚଉପଟ କରିବା ପରେ କାଠ ଭିତରେ ପୋଲା ରହିଥିଲା। ତେଣୁ ସେହି କାଠଗୁଡ଼ିକୁ କାମ କରିସାରିବା ପରେ ବାଦ୍ ଦିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦଣ୍ଡା ପାଇଁ ଆସିଥିବା କାଠରେ ମଧ୍ୟ ଅନୁରୂପ ତ୍ରୁଟି ରହିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତିନିରଥରେ ତୃତୀୟ ଭୂଇଁ ତଥା ଅଗ ଭୂଇଁ ସଂଯୋଗ ସରିଲାଣି। ତୃତୀୟ ଭୂଇଁ ଉଠିବା ପୂର୍ବରୁ ତେର ପରସ୍ତ ପୋଟଳ କାମ ଆରମ୍ଭ ହୋଇଯାଇଥାଏ। କିନ୍ତୁ ଏଥର କାଠ ପଟା ଯୋଗାଣରେ ଅବହେଳା ଯୋଗୁ ରଥ କାମ ମନ୍ଥର ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ତଥା ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ତେର ପରସ୍ତ ପ୍ରସ୍ତୁତ କରିବା ସମୟ ସାପେକ୍ଷ କାର୍ଯ୍ୟ। ତୃତୀୟ ଭୂଇଁ ଉଠିବା ସହ ପୋଟଳ କାମ ଆରମ୍ଭ ହେବା କଥା। ଏଥିପାଇଁ ପାଞ୍ଚ ପାହିଆ କଞ୍ଚା ମହି ପଟା ଆବଶ୍ୟକ ରହିଛି।ଦୁଆରବେଢ଼ା ପାଇଁ ମଧ୍ୟ କଞ୍ଚା ପଟା ଆବଶ୍ୟକ ରହିଛି। ଏଥିସହ ପାରାଭାଡ଼ି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ପର୍ଯ୍ୟାୟ କ୍ରମେ ତୃତୀୟ ଭୂଇଁ ଉଠି ସାରିଥିବାରୁ ପୋଟଳ କାର୍ଯ୍ୟ ହୋଇପାରିନଥିବାରୁ ଚିନ୍ତା ବଢ଼ିବା ସ୍ବାଭାବିକ। ଗତବର୍ଷ ଏଥିରେ କୌଣସି ସମସ୍ୟା ଉପୁଜିନଥିଲା। କିନ୍ତୁ ଏବର୍ଷ ପଟା ଆମ ପାଖକୁ ରଥଖଳାକୁ ଆସିବାରେ ବିଳମ୍ବ ଆମର ଚିନ୍ତା ବଢ଼ାଉଛି। କାମ ମନ୍ଥର ହେଉଛି। ଯଦି ଦିନେ ଦୁଇଦିନ ମଧ୍ୟରେ କାଠପଟା ନପହଞ୍ଚେ ତେବେ କାମ କରିବା ଆମ ପାଇଁ ଆହ୍ବାନ ପାଲଟିବ ବୋଲି କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଏ ସଂକ୍ରାନ୍ତରେ ଆମେ ରଥ ତତ୍ତ୍ବାବଧାରକ ଓ ଅମିନଙ୍କୁ ଅବଗତ କରାଇସାରିଛୁ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ବିଶ୍ବକର୍ମା ସେବକ ନାରାୟଣ ମହାରଣା ମଧ୍ୟ ସମାନ କଥା କହିଛନ୍ତି, ରଥଯାତ୍ରାର ୧୦ ଦିନ ପୂର୍ବରୁ ରଥ କାମ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ରଥର ଅଗ ଭୂଇଁ କାର୍ଯ୍ୟପରେ ପୋଟଳ କାର୍ଯ୍ୟ ହୋଇପାରିନାହିଁ।
Trending
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
- ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ
- ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ
Prev Post
Next Post