ଶ୍ରୀରାମ ନାରାରେ ପ୍ରକମ୍ପିତ, ଉତ୍ସବ ମୁଖରିତ ସମଗ୍ର ଅଯୋଧ୍ୟା ଭୂମି
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ। କଳାକାରଙ୍କଠାରୁୁ କ୍ରୀଡ଼ାବିତ, ଶିଳ୍ପପତିଙ୍କଠୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ହୋଇଥିଲେ ଅଯୋଧ୍ୟା ମୁହାଁ। ଆଉ ସେମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି, ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୃଷ୍ଟି କରିଥିଲା ମିନି ଇଣ୍ଡିଆର ପରିବେଶ।ଅଭିନେତା ଅନୁପମ୍ ଖେର, ଜ୍ୟାକି ଶ୍ରଫ୍, ନିର୍ମାତା ନିର୍ଦ୍ଦେଶକ ରାଜକୁମାର ହିରାନୀ, ରୋହିତ ସେଟ୍ଟୀ ପ୍ରମୁଖ ଆଜିର ଉତ୍ସବରେ ଅତିଥି ହୋଇଥିଲେ। ସେହିଭଳି ପାରଂପରିକ ଶାଢ଼ି ପରିଧାନ ପୂର୍ବକ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଜୟ ଶ୍ରୀରାମ୍ ନାରା, ଯେ ତାଙ୍କୁ ଅଯୋଧ୍ୟା ଭୂମିରେ ଭକ୍ତିରସରେ ବୁଡ଼ାଇ ସାରିଥିଲା, ତାର ପ୍ରମାଣ ମିଳିଥିଲା। ଉତ୍ସବରେ ଦେଶର କ୍ରୀଡ଼ା ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଗରିମାମୟ ଉପସ୍ଥିତି ବି ଦେଖିବାକୁ ମିଳିଥିଲା। ଅତିଥିମାନଙ୍କ ଗହଣରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ରବୀନ୍ଦ୍ର ଜାଡେଜା ପ୍ରମୁଖ ରାମଙ୍କ ଭକ୍ତିରସରେ ଭିଜିଥିଲେ। ସେହିଭଳି ସପତ୍ନୀକ ଆସିଥିଲେ ଶିଳ୍ପପତି ମୁକେଶ ଆମ୍ବାନୀ। ଅନୀଲ ଅମ୍ବାନୀଙ୍କ ସହ କୁମାର ମଙ୍ଗଳମ୍ ବିର୍ଲା, ନବୀନ ଜିନ୍ଦଲଙ୍କ ଭଳି କୁବେରପତି ବି ରାମଙ୍କ ଲୀଳାକ୍ଷେତ୍ରକୁ ଆସିବା ସହ ଏଠାକାର ଆୟୋଜନକୁ ଦେଖି ଅଭିଭୂତ ହୋଇଥିଲେ।
ମାୟା ନଗରୀ ମୁମ୍ବାଇରୁ ଅଧିକାଂଶ ସେଲିବ୍ରିଟି, ଭକ୍ତିଭରା ବେଶ ଓ ପରିପାଟି ସହ ଉତ୍ସବସ୍ଥଳରେ ଉପସ୍ଥିତ ଥିଲେ। ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆସିବା ବେଳେ ବିଗ୍ ବିଙ୍କୁ ସାକ୍ଷତ କରି କିଛି କ୍ଷଣ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଭଳି ସୁରରଷ୍ଟାର ରଜନୀକାନ୍ତଙ୍କ ସମେତ ଚୀରଞ୍ଜୀବି ଓ ତାଙ୍କ ପୁଅ ରାମଚରଣ ତେଜା ବି ଉତ୍ସବରେ ସାମିଲ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଓ ତାଙ୍କ ସ୍ୱାମୀ ଡାକ୍ତର ଶ୍ରୀରାମ ନେନେ, ରଣବୀର-ଆଲିଆ ଓ ଭିକ୍କି-କାଟ୍ରିନାଙ୍କ ଯୋଡ଼ି ପ୍ରମୁଖ ଗୋଟିଏ ସ୍ଥାନରେ ବସି ଉତ୍ସବରୁ ଦିବ୍ୟ ଅନୁଭୁତି ସାଉଁଟୁଥିଲେ। ଏହାରି ଭିତରେ ଅଯୋଧ୍ୟାରେ ଆୟୋଜିତ ଭିନ୍ନ ଭିନ୍ନ ଭକ୍ତିରସ ଭରା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଧନ୍ୟ ମନେ କରିଥିଲେ ବଲିଉଡର ଆଉ କିଛି ଦିଗ୍ଗଜ୍ କଳାକାର।