ସୁନାକୂଅର ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ। ଗଜବେଶରେ ଦର୍ଶନ ଦେଇଫେରିବା ବେଳକୁ ଦେହରେ ଖଇଫୁଟା ତାତି। ତେଣୁ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଫେରିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି। ଅଣସର ବାସରେ ରହିବାପରେ ଆରମ୍ଭ ହୋଇଛି ଉପଚାର। ମଧ୍ୟାହ୍ନ ଧୂପ ପରେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଆରମ୍ଭ ହୋଇଛି ଗୁପ୍ତ ନୀତି। ବୈଦ୍ୟଙ୍କ ପରାମର୍ଶକ୍ରମେ ଜ୍ବରପୀଡ଼ିତ ଶ୍ରୀବିଗ୍ରହଙ୍କୁ ପଥି ଦିଆଯାଇଛି। ଭଜନ, କୀର୍ତ୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ଶ୍ରୀମନ୍ଦିରରେ ଆଜି ନିଷେଧ କରାଯାଇଛି। ନିରବ ଓ ନିସ୍ତବ୍ଧତା ମଧ୍ୟରେ ସମସ୍ତ ନୀତି କରାଯାଉଛି। ଛପନଭୋଗ ବଦଳରେ ଫଳ ଲାଗି ହୋଇଛି। ଦଇତାପତି ସେବକମାନେ ଗୁପ୍ତନୀତି ସମ୍ପାଦନ କରୁଛନ୍ତି। ଗୁପ୍ତ ନୀତିରେ ବ୍ୟାଘାତ ସୃଷ୍ଟି ନହେବା ଲାଗି ଅଣସର ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି।ସ୍ନାନ ପୂର୍ଣ୍ଣିମା ଦିନ ଗଜବେଶ ଦର୍ଶନ ପରେ ମହାପ୍ରଭୁ ଲେଉଟିବା ବେଳକୁ ଅର୍ଥାତ ପହଣ୍ଡି ଶେଷ ହେବାବେଳକୁ ରାତି ୩ଟା ବାଜି ଯାଇଥିଲା। ତେଣୁ ରାତ୍ରି ପହୁଡ଼ ନହୋଇ ନୀତିକାନ୍ତି ଚାଲୁ ସାଢ଼େ ୩ଟାରେ ରାହୁରେଖା, ଚିତା ଓ ମଇଲମ ହୋଇଥିଲା। ଭୋର ୪ଟା ୨୦ରେ କୋଠ ସୁଆଁସିଆ ପ୍ରବେଶ କରିଥିଲେ। ସକାଳ ୭ଟାରେ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିବାପରେ ଅଣସର ତାଟି ନିକଟରେ ପୂଜା ଆରମ୍ଭ ହୋଇଛି। ପଟିଦିଅଁ ରୂପେ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ର ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ଭୁବନେଶ୍ୱରୀ ରୂପରେ ପୂଜା ପାଇଛନ୍ତି। ସକାଳ ସାଢ଼େ ୯ଟାରେ ମାଧବ ବିଜେ କରିଥିଲେ। ୯ଟା ୪୫ରେ ଦଶାବତାର ଦିଅଁ ବିଜେ କରିଥିଲେ। ଏଠାରେ ଛପନ ଭୋଗ, ପିଠାପଣା ଆଦି ଲାଗି କରାଯାଇଛି। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ବି ଏଠାରେ ପୂଜା ପାଉଛନ୍ତି। ପଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ଲାଗି ହୋଇଛି। ସେହିପରି ପତିତପାବନଙ୍କର ବି ଅଣସର ନୀତି ଚାଲିଛି। ପତିତପାବନଙ୍କ ବଦଳରେ ପଟିଦିଅଁ ଭାବେ ଅନନ୍ତ ନାରାୟଣ ପୂଜା ପାଇଛନ୍ତି। ଜ୍ବରପୀଡ଼ିତ ମହାପ୍ରଭୁ ଅଣସର ପିଣ୍ଡିରେ ଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି। ତେଣୁ ବ୍ରହ୍ମଗିରିରେ ପ୍ରଭୁ ଶ୍ରୀଅଲାରନାଥଙ୍କୁ ଦର୍ଶନ ପାଇଁ ଆଜିଠାରୁ ଭକ୍ତଙ୍କ ଭିଡ଼ ଲାଗିଛିଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତର କାଠରେ ଜୟ-ବିଜୟ ଦ୍ବାର ଓ କଳାହାଟ ଦ୍ୱାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଛି। ଦଇତାପତି ସେବକମାନେ ତିନି ଠାକୁର ଓ ପଟିଦିଅଁଙ୍କ ସେବା କାର୍ଯ୍ୟ ସଂପାଦନ କରିଛନ୍ତି। ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳା ଆଳତି ପୂର୍ବାହ୍ନ ୧୦ଟା ୪୫ରେ କରାଯାଇଥିଲା। ପରେ ଅବକାଶ, ବଲ୍ଲଭ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ ସରିଲା ପରେ ବେହରଣ ମଣ୍ଡପ ପାଖ ଅଣସର ଦ୍ୱାର ଖୋଲାଯାଇଥିଲା। ମଧ୍ୟାହ୍ନ ଧୂପ ସରିବା ପରେ ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ମଣ୍ଡପ ଦେଇ ଦଇତାପତି ସେବକ ଧଳା ବସ୍ତ୍ର ପରିଧାନ କରି ଅଣସର ବାସକୁ ପ୍ରବେଶ କରି ଗୁପ୍ତ ସେବା ଆରମ୍ଭ କରିଥିଲେ। ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଏହି ଭୋଗ ଅଣସର ଘରୁ ବାହାରକୁ ନ ଆସିବାର ବିଧି ରହିଛି। ତେଣୁ ଅଣସର ପିଣ୍ଡିରେ ଭୋଗ ଲାଗି ହେବା ପରେ ଦଇତାପତିମାନେ ଏହାକୁ ସେବନ କରିଥିଲେ। ବାକି ଭୋଗ ସେହି ଅଣସର ଘରେ ଛାଡ଼ି ଆସିଥିଲେ। ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post