ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ହୋଇଯିବ ବଡ଼ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ବର୍ତ୍ତମାନ ରଥ, ପଥ ଓ ଭକ୍ତ ଚାହିଁ ବସିଛନ୍ତି ଦାରୁବ୍ରହ୍ମଙ୍କ ଆଗମନକୁ ।କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥ । ସେ ଲୀଳାମୟ ଓ ଭାବଗ୍ରାହୀ କଳାଠାକୁର । ମହାପ୍ରଭୁଙ୍କ ରଥାରୁଢ଼ ଦର୍ଶନ କଲେ ପୁନଃଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ‘ରଥଯାତ୍ରା’ ବା ‘ଶ୍ରୀ ଗୁଣ୍ଡିଚା ଯାତ୍ରା’ ହେଉଛି ସର୍ବଶ୍ରେଷ୍ଠ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଦର୍ପଦଳନ କୁହାଯାଏ । ତେବେ ଆପଣ କେବେ ଭାବିଛନ୍ତି ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ ବୋଲି କାହିଁକି କୁହାଯାଏ ? ଏହା ପଛରେ ରହିଛି ଏକ ରୋଚକ କାହାଣୀ । ‘ନନ୍ଦି’ ଆଉ ‘ଘୋଷ’ ଏହି ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ । ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଏବଂ ‘ଘୋଷ’ର ଅର୍ଥ ଗର୍ଜନ । ତେବେ ନନ୍ଦିଙ୍କ ଗର୍ଜନରୁ ରଥର ନାଁ ହେଉଛି ନନ୍ଦିଘୋଷ । ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର। ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହାଶକ୍ତି ଏକାଠି ହୁଏ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବରଣ ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।ନନ୍ଦିଘୋଷ ରଥର ଉଚ୍ଚତା ହେଉଛି ୪୫ ଫୁଟ୍ ୬ ଇଞ୍ଚ୍ । ଦୈର୍ଘ୍ୟ ଓ ପ୍ରସ୍ଥ ୩୪ ଫୁଟ୍ ୬ ଇଞ୍ଚ୍ । ମୋଟ୍ ଚକ ଓ ଅଖ ସଂଖ୍ୟା ଯଥାକ୍ରମେ ୧୬ ଓ ୮ । ଏହି ରଥରେ ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ତିଆରି ହୋଇଥାଏ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post