ଶ୍ରୀଜୀଉଙ୍କ ସ୍ନାନଯାତ୍ରା: ୫ଟାରୁ ପହଣ୍ଡି, ୩ଟା ୪୦ରୁ ଗଜବେଶ

ଚଳିତ ମାସ ୨୨ରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣିମା  । ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ସେଥିରେ ସ୍ଥିର କରାଯାଇଛି। ପୌରାଞ୍ଚଳର ରାସ୍ତା ମରାମତି, ନଳା ସଫା, ଆଲୋକ ଓ ପାନୀୟ ଜଳ ଯୋଗାଣ, ଗହଳି ନିୟନ୍ତ୍ରଣ, ସୁରକ୍ଷା, ପରିମଳ, ଗାଡ଼ି ପାର୍କିଂ, ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ସ୍ନାନବେଦୀ ଉପରେ ପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ଆକର୍ଷଣୀୟ ଗଜାନନ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିବାକୁ ବୈଠକରେ ନିର୍ଦେଶ ଦିଆଯାଇଛି। ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ କିଛି ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ସ୍ବାଇଁ ନିର୍ଦେଶ ଦେଇଛନ୍ତି। ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଥିଲେ ସବୁ ବିଭାଗ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିଲେ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରିବ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।