ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି
ପୁରୀ: ହାଇକୋର୍ଟଙ୍କ ଆଦେଶ ପରେ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ତତ୍ପରତା ଦେଖାଇଛି। ନାଟମଣ୍ଡପର ଆବଶ୍ୟକ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ଏଏସ୍ଆଇକୁ ଏନ୍ଓସି ପ୍ରଦାନ କରିଛି। ସକାଳ ୬ଟାରୁ ରାତି ୧୦ଟା ଭିତରେ ମରାମତି କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଆସନ୍ତାକାଲିଠାରୁ ଭାରା ବନ୍ଧା ସହ ଅନ୍ୟାନ୍ୟ ପ୍ରାଥମିକ କାମ ଆରମ୍ଭ ହେବ। କାର୍ତ୍ତିକ ନୀତିକାନ୍ତି ଚାଲିଥିବାରୁ ଭିଡ଼ ଦେଖି ଏବେ କାମ ହେବ। କାର୍ତ୍ତିକ ମାସ ଓ ପଞ୍ଚୁକ ଶେଷ ପରେ ପୂର୍ଣ୍ଣମାତ୍ରାରେ କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।
ନାଟମଣ୍ଡପର କ୍ରାକ୍ ବିମ୍ ମରାମତି ଆରମ୍ଭ ହେବ। ଏଏସ୍ଆଇ ଗରୁଡ଼ ସ୍ତମଠାରୁ ବିମ୍ ତଳେ ଯେଉଁଠି ଫାଟ ରହିଛି, ତା’ର ଯାଞ୍ଚ କରିବ। ବିମ୍ ତଳେ ୱାକିଂ ପ୍ଲାଟଫର୍ମ ତିଆରି ହେବ। ବର୍ତ୍ତମାନ କାର୍ତ୍ତିକ ନୀତି ଚାଲିଥିବାରୁ ୬ ଘଣ୍ଟା କାମ କରିବା ସମ୍ଭବପର ହେବନି। କିନ୍ତୁ କାର୍ତ୍ତିକ ନୀତି ସରିବା ପରେ ଏଏସ୍ଆଇ ପୂରା ଦମ୍ରେ କାମ କରିପାରିବ। ଯେହେତୁ ଭକ୍ତ ନିୟମିତ ଯା’ଆସ କରିବେ, ସେଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି। କମାଣ୍ଡର୍, ସୁପରଭାଇଜର୍ ଏଥିରେ ସହାୟତା କରିବେ। ମରାମତିର ସମସ୍ତ ପ୍ରକ୍ରିୟା ଶ୍ରୀମନ୍ଦିର ବୈଷୟିକ ଦଳ ଓ ସେବକ ପ୍ରତିନିଧିଙ୍କ ତତ୍ତ୍ବାବଧାନରେ କରାଯିବ। ନୀତିକାନ୍ତି ଯେଭଳି ବ୍ୟାହତ ନ ହେବ, ସେ ଉପରେ ସେମାନେ ନଜର ଦେବେ।