ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ରାବଣ ପୋଡ଼ି ଉତ୍ସବ ସରିଛି । ମା’ଙ୍କ ଦର୍ଶନ ପାଇଁ ଏଥର ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନ ସମାଗମ ହୋଇଥିଲା। ଆଜି ଭସାଣି ପାଇଁ ପ୍ରସ୍ତୁତି ଚାଲିଛି ।
ଦଶହରାରେ ରାଜ୍ୟରେ ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। କଟକ ଓ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନାଚାନ୍ଦି ମେଢ଼ ଲୋକଙ୍କ ମନ ମୋହିଥିଲା। ମା’ଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିଲା । ମା’ଙ୍କ ଦର୍ଶନ ସହ ମୀନା ବଜାରରେ ବୁଲିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ଦଶହରା ଅବସରରେ କଟକ ଓ ଭୁବନେଶ୍ୱର ସହ ରାଜ୍ୟର ଅନେକ ସହରରେ ରାବଣ ପୋଡ଼ି ଉତ୍ସବର ଆୟୋଜନ ହୋଇଯାଇଛି । ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀ ଅବସରରେ ଭୁବନେଶ୍ବର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଯାଇଛି। ରାଜଧାନୀର ୧୦ଟି ସ୍ଥାନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ହଜାର ହଜାର ଲୋକ ସମାଗମ ହୋଇ ଏହାକୁ ଉପଭୋଗ କରିଥିଲେ । ୧୦ଟି ପୂଜା କମିଟି ରାବଣ ପୋଡ଼ି କରିବା ସହ ରଙ୍ଗବେରଙ୍ଗ ବାଣରେ ଝଲସି ଉଠିଥିଲା ଆକାଶ । ଝାରପଡ଼ା, ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଆଜି ଭସାଣି ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦେଇଛି ପୋଲିସ ।