ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଯୋଜନା

୧୨ ତାରିଖରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଥିବାରୁ ୪ ଦିନ ମଧ୍ୟରେ ଚାରିଦ୍ବାର ଖୋଲିବା ନେଇ ବିଜେପିର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଏହିଦୃଷ୍ଟିରୁ ୧୩ ତାରିଖ ବେଳକୁ ଭକ୍ତମାନଙ୍କ ପ୍ରବେଶ ଲାଗି ଚାରିଦ୍ବାରରେ କୌଣସି ପ୍ରତିବନ୍ଧକ ନଥିବ। ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ଭବତଃ ଏ ସମ୍ପର୍କିତ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ କ୍ଷେତ୍ର ପ୍ରସ୍ତୁତ କରୁଥିବା କୁହାଯାଉଛି। କୋଭିଡ ପୂର୍ବରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଚାରିଦ୍ବାରରେ ଉନ୍ମୁକ୍ତ ଥିଲା। କୋଭିଡ ଯୋଗୁ ଭକ୍ତଙ୍କ ପ୍ରବେଶରେ ରୋକ୍‌ ଲାଗିଥିଲା।ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମ୍‌ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ। ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାରରେ ପ୍ରବେଶ ପାଇଁ ୩ ଥାକିଆ ଧାଡ଼ି ବ୍ୟବସ୍ଥା କରାଯିବ। ଜିଗଜାଗ୍‌ ବ୍ୟାରିକେଡ ସହ ୧୦୦ ଫୁଟର ସେଡ୍‌ ବ୍ୟବସ୍ଥା ରହିବ। ଭକ୍ତମାନଙ୍କ ପାଇଁ ସମସ୍ତ ଦ୍ବାର ଉନ୍ମୁକ୍ତ ରହିବ। ଏନେଇ ଏଡିଏମ୍‌ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ କହିଛନ୍ତି, ଆମକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ପାଇଁ ନିର୍ଦ୍ଦେଶ ଥିଲା। ତେଣୁ ଚାରିଦ୍ବାର ବୁଲି କେବଳ ସ୍ଥିତି ପରଖିଥିଲୁ। ତେବେ ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ସେ ମତ ରଖିନାହାନ୍ତି। ଅପରପକ୍ଷେ ଚାରିଦ୍ବାର ଖୋଲିବା ନେଇ କୌଣସି ବୈଠକ କିମ୍ବା ନିଷ୍ପତ୍ତି ହୋଇନାହିଁ। ଏନେଇ ନିଷ୍ପତ୍ତି ନେବା ପାଇଁ ସେ ଅଧିକୃତ ନୁହନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।