ଓଡିଶାରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ,ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଓଡିଶାରେ ବଢିଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।
ସୂଚନା ଅନୁଯାୟୀ ରାଜ୍ୟରେ ପୂର୍ବରୁ ୮ଜଣ ଓମିକ୍ରନ୍ ଆକ୍ରାନ୍ତ ଥିବା ବେଳେ ଆଜି ଆଉ ଜଣେ ଚିହ୍ନଟ ମିଶି ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଜିନମ୍ ସିକ୍ୱେନ୍ସିଂ ପରେ ଜଣଙ୍କ ଠାରେ ଓମିକ୍ରନ୍ ଭୂତାଣୁ ଥିବା ଜଣାପଡ଼ିଛି । ଆକ୍ରାନ୍ତ ଜଣକ ୟୁଏଇ ଫେରନ୍ତା । ତାଙ୍କ ବୟସ ୩୧ ବର୍ଷ ହେବ ବୋଲି କୁହାଯାଉଛି । ସେ ଦୁବାଇରୁ କୋଲକାତା ଆସିଥିଲେ । ସେଠାରୁ ଟ୍ରେନ ଯୋଗେ କେନ୍ଦୁଝର ବଡ଼ବିଲ ଆସିଥିଲେ । ସେ କେନ୍ଦୁଝରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ୟକ୍ତି ଜଣଙ୍କ ଆସିବା ବେଳେ କରୋନା ନେଗେଟିଭ ଥିଲେ, ଘରେ ପହଞ୍ଚିବାର ଦିନକ ପରେ ତାଙ୍କୁ ଜ୍ୱର ହୋଇଥିଲା । ଟେଷ୍ଟ କରିବା ପରେ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ତାଙ୍କ ବାପା ଓ ମା ଆସିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ରାଜ୍ୟରେ ପ୍ରଥମ ଭାବେ ଡିସେମ୍ବର ୨୧ ତାରିଖରେ ଚିହ୍ନଟ ହୋଇଥିଲେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ । ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କଲିକତାରୁ ଆସିଥିଲେ । ପରେ ୨୩ ତାରିଖରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । । ୨୬ ତାରିଖରେ ଆଉ ୪ ଜଣ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଆଜି ଆଉ ଜଣେ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହେବା ପରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଚିନ୍ତାର ବିଷୟ ପାଲଟିଲାଣି । ଆଗକୁ ନୂଆବର୍ଷ ଥିବାରୁ କିଭଳି ସଂକ୍ରମଣ ନବଢିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।