ଭୁବନେଶ୍ବରରେ କଗ୍ନିଜାଣ୍ଟ
ଆଚାର୍ଯ୍ୟ ବିହାର ନିକଟ ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରରେ ଆମେରିକୀୟ ଆଇଟି କମ୍ପାନି କଗ୍ନିଜାଣ୍ଟ ସ୍ଥାପନ କରିଥିବା ନୂଆ କେନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂଆ ଓଡ଼ିଶା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଦେଶର ଏକ ଅଗ୍ରଣୀ ଆଇଟି କେନ୍ଦ୍ର ଭାବେ ଏହା ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ବର୍ଦ୍ଧିତ ନିବେଶ, ପ୍ରତିଭା ଓ ଅଭିଳାଷକୁ ନେଇ ଓଡ଼ିଶା ‘ଭବିଷ୍ୟତର ସ୍ଥଳ’ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି।ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଭୁବନେଶ୍ବରରେ କଗ୍ନିଜାଣ୍ଟର ନୂଆ କେନ୍ଦ୍ର ରାଜ୍ୟ ପ୍ରତି ରହିଥିବା ବିଶ୍ବାସକୁ ପ୍ରତିଫଳିତ କରୁଛି। କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍ କହିଛନ୍ତି ଯେ ଭୁବନେଶ୍ବରରେ ଆମର ନୂଆ କେନ୍ଦ୍ର ସ୍ଥାପନ କରି ଆମେ ଦ୍ବିତୀୟ ଶ୍ରେଣୀ ସହରରେ ଆମ ଯାତ୍ରା ଆରମ୍ଭ କରିଛୁ। ଶ୍ରୀ କୁମାର ହେଉଛି ଏକ ଫର୍ଚୁନ ୨୦୦ କମ୍ପାନିର ସିଇଓ ହେବାରେ ପ୍ରଥମ ଓଡ଼ିଆ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦୦ କର୍ମଚାରୀ ଏଠାରେ କାମ କରିବେ। ଦୁଇ ବର୍ଷ ମଧ୍ୟରେ ସେହି କ୍ଷମତା ୫୦୦୦କୁ ବୃଦ୍ଧି ପାଇବ। କଗ୍ନିଜାଣ୍ଟର ଭୁବନେଶ୍ବର କେନ୍ଦ୍ରକୁ ୫୨,୦୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ଡିଜିଟାଲ୍ ଇଞ୍ଜିନିୟରିଂ ଓ ରୋବୋଟିକ୍ ଅଟୋମେସନ ଉପରେ କାମ ହେବ। ଭୁବନେଶ୍ବରକୁ କଗ୍ନିଜାଣ୍ଟକୁ ସ୍ବାଗତ କରି କହିଛନ୍ତି ଯେ ଓଡ଼ିଶାରେ ଥିବା ପ୍ରତିଭାମାନଙ୍କୁ ଆମେ ଡେଲଏଟ୍ରେ ଚିହ୍ନଟ କରିଥିଲୁ। ମୁଁ ବହୁତ ଖୁସିଯେ ବହୁ ବିଶ୍ବସ୍ତରୀୟ ପ୍ରଯୁକ୍ତି କମ୍ପାନି ଆମ ପଦାଙ୍କ ଅନୁସରଣ କରି ଭୁବନେଶ୍ବରରେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ଜ୍ଞାନ ଅର୍ଥନୀତି ସୃଷ୍ଟି କରିବାରେ ତାହା ବିଶେଷ ସହାୟକ ହେବ।ଇତି ମଧ୍ୟରେ ଭୁବନେଶ୍ବର ପୂର୍ବ ଓ ଉତ୍ତରପୂର୍ବ ଭାରତର ଏକ ପ୍ରମୁଖ ଆଇଟି ହବ୍ ଭାବେ ଉଭା ହେଉଛି। ଡେଲଏଟ୍, ଆଇବିଏମ୍, ଇୱାଇ, ପିଡବ୍ଲୁସି, ହାପିଏଷ୍ଟ ମାଇଣ୍ଡସ୍, ଇନ୍ଫୋସିସ୍ ବିପିଏମ୍, ସିନପ୍ସିସ୍ ଓ କନସେଣ୍ଟ୍ରିକ୍ସ ଭଳି ସଂସ୍ଥା ଭୁବନେଶ୍ବରରେ ସେମାନଙ୍କ ଗ୍ଲୋବାଲ୍ ଡେଭେଲପ୍ମେଣ୍ଟ୍ ଓ ଆଉଟ୍ସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ସିଏସ୍ଏମ୍ ଟେକ୍ର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା ୨୦୨୨ରେ ରାଜ୍ୟର ଆଇଟି ଶିଳ୍ପ ୩୭ଟି ନିବେଶ ପ୍ରସ୍ତାବ ହାସଲ କରିଥିଲା। ରାଜ୍ୟରୁ ସଫ୍ଟୱେର ରପ୍ତାନି ୭୫୦୦ କୋଟି ଟଙ୍କାରେ ପହଞ୍ଚିଛି। ଆଇଟି ରପ୍ତାନିରେ ଓଡ଼ିଶା ଶ୍ରେଷ୍ଠ ୭ଟି ରାଜ୍ୟ ମଧ୍ୟରେ ରହିଛି। ଆଗାମୀ ଦିନରେ ରପ୍ତାନି ଆହୁରି ବଢ଼ିବ ବୋଲି ସେ କହିଛନ୍ତି।