ଯୁଦ୍ଧରେ ଉଭୟ ଭାରତ ଓ ପାକିସ୍ତାନର ଅର୍ଥନୀତି ପ୍ରଭାବିତ ହୋଇଛି, ଭାରତର 15 ହଜାର କୋଟି ପାକିସ୍ତାନର 10 ହଜାର କୋଟି ଖର୍ଚ୍ଚ
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଶ ପାକିସ୍ତାନକୁ ସାବାଡ଼ କରିବା ଲାଗି ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନ ଉପରେ କରିଥିବା ଆକ୍ରମଣର ଅର୍ଥନୈତିକ ପ୍ରଭାବ ବେଶ୍ ବ୍ୟାପକ ରହିଛି। ଏହି ଯୁଦ୍ଧରେ ଉଭୟ ଭାରତ ଓ ପାକିସ୍ତାନର ଅର୍ଥନୀତି ପ୍ରଭାବିତ ହୋଇଛି। ପାକିସ୍ତାନ ତୁଳନାରେ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ଅଧିକ ରହିଛି। ୟୁଏଇର ଫରେନ୍ ଆଫେୟାର୍ସ ଫୋରମ୍ର ଆକଳନ ଅନୁଯାୟୀ ସାମରିକ ଲଢ଼େଇ ପାଇଁ ଭାରତକୁ ୧.୮ ବିଲିଅନ୍ ଡଲାର (୧୫ ହଜାର କୋଟି ଟଙ୍କାରୁ ଅଧିକ) ଅର୍ଥନୈତିକ ମୂଲ୍ୟ ଦେବାକୁ ପଡ଼ିବ। ସେହିପରି, ପାକିସ୍ତାନ ମଧ୍ୟ ୧.୨ ବିଲିଅନ୍ ଡଲାର (୧୦ହଜାର କୋଟି ଟଙ୍କାରୁ ଅଧିକ) ଖର୍ଚ୍ଚ କରିଥିବ ବୋଲି ଆକଳନ କରାଯାଇଛି।
ଦୁଇ ଦେଶର ବିଭାଜନ ହେବା ପରେ ୧୯୪୭, ୧୯୬୫, ୧୯୭୧ରେ ତିନି ଯୁଦ୍ଧ ଓ ୧୯୯୯ରେ କାରଗିଲ୍ ଯୁଦ୍ଧ ହୋଇଥିଲା। କାର୍ଗିଲ୍ ଯୁଦ୍ଧ ସମୟରେ ଭାରତ ଦିନକୁ ୧୪୬୦ କୋଟି ଟଙ୍କା ଓ ପାକିସ୍ତାନ ୩୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଆକଳନ କରାଯାଇଛି। କାରଗିଲ୍ରେ ହୋଇଥିବା ଦୁଇ ମାସ ଯୁଦ୍ଧରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ରିପୋର୍ଟରେ ଆକଳନ କରାଯାଇଛି ଯେ ଯଦି ବର୍ତ୍ତମାନର ଯୁଦ୍ଧ ପୂର୍ଣ୍ଣ ମାତ୍ରାରେ ହେବ ତେବେ ଦୈନିକ ୧.୩୪ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କ୍ଷତି ହେବ। ପ୍ରାୟ ୯୩,୯୧୫ କୋଟି ଟଙ୍କାର ବୈଦେଶିକ ପୁଞ୍ଜିନିବେଶ ବାତିଲ ହେବା ଆଶଙ୍କା ରହିଛି। ଖୁଚୁରା କ୍ଷେତ୍ର ୪.୩୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ପର୍ଯ୍ୟଟନ ଓ ରପ୍ତାନି କ୍ଷେତ୍ର ମଧ୍ୟ ପ୍ରଭାବିତ ହେବ। ଯଦି ଚାରି ସପ୍ତାହର ଯୁଦ୍ଧ ହୋଇଥାନ୍ତା ତେବେ ଭାରତକୁ ୪୩ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଥାନ୍ତା ଯାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨୦ ପ୍ରତିଶତ।
କେବଳ ଅର୍ଥନୈତିକ ପ୍ରଭାବ ନୁହେଁ, ଦୁଇ ଦେଶର ଷ୍ଟକ୍ ବଜାର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପାକିସ୍ତାନ ଷ୍ଟକ୍ ବଜାର ଚାରି ଦିନରେ ୧୩ ହଜାର ପଏଣ୍ଟ ହରାଇବାରୁ ଏହାର ନିବେଶକମାନେ ପ୍ରାୟ ୮୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଭାରତରେ ଗତ ଗୁରୁବାର ଓ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ତଳକୁ ଖସିଥିଲା। ଏହି ଦୁଇଦିନରେ ଭାରତରେ ନିବେଶକମାନେ ୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିମାନ ଯାତ୍ରା ପ୍ରଭାବିତ ହେବା, ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିବା, ପର୍ଯ୍ୟଟନ ଉପରେ ପ୍ରଭାବ, ଗମନାଗମନ, ପରିବହନ ଆଦି ପ୍ରଭାବିତ ହେବା ଦ୍ବାରା ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଅନୁମାନ କରାଯାଉଛି।