ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି

ଗତ ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ଜୁନ୍‌ରେ ବିକ୍ରି ହୋଇଥିବା ୬୧,୦୬୨ଟି ଗାଡ଼ି ତୁଳନାରେ ୧୧.୨୧ ପ୍ରତିଶତ ଅଧିକ। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲେ ମଧ୍ୟ ବାଣିଜ୍ୟିକ ଯାନ ବିକ୍ରି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି। ଓଡ଼ିଶା ଏକ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇଥିବାରୁ ଖଣି ଖାଦାନରେ ବହୁ ସଂଖ୍ୟାରେ ବାଣିଜ୍ୟିକ ଯାନ ବ୍ୟବହାର ହୋଇଥାଏ। ଯେହେତୁ ଏହି ଧରଣର ଗାଡ଼ି ବିକ୍ରି କମ୍ ହୋଇଛି, ତାହା ଏହା ସୂଚାଉଛି ଯେ ଖଣି କାର୍ଯ୍ୟକଳାପ ଓ ପରିବହନ କ୍ଷେତ୍ର ଚାପରେ ରହିଛି। ଫେଡେରେସନ୍ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ (ଏଫ୍‌ଏଡିଏ) ଜାରି କରିଥିବା ତଥ୍ୟ ଅନୁଯାୟୀ ଜୁନ୍ ମାସରେ ୫୩,୪୩୨ଟି ଦୁଇଚକିଆ, ୧,୮୯୯ଟି ତିନିଚକିଆ, ୨,୨୫୧ଟି ବାଣିଜ୍ୟିକ ଯାନ, ୬,୭୧୭ଟି ଯାତ୍ରୀବାହୀ ଯାନ ଓ ୩୦୦୨ଟି ଟ୍ରାକ୍ଟର ବିକ୍ରି ହୋଇଛି। ଟ୍ରାକ୍ଟର ବିକ୍ରିରେ ୫୧.୬୯ ପ୍ରତିଶତ ବୃଦ୍ଧି ଘଟିଛି। ଚାଷ ଋତୁ ଚାଲିଥିବାରୁ ଟ୍ରାକ୍ଟର ଚାହିଦା ବଢ଼ିଛି। ସାଧାରଣତଃ ଏହି ସମୟରେ ଏବଂ ଅମଳ ଋତୁରେ ଅଧିକ ଟ୍ରାକ୍ଟର ବିକ୍ରି ହୋଇଥାଏ। ଗତବର୍ଷ ଜୁନ୍ ତୁଳନାରେ ୨ଚକିଆ ବିକ୍ରି ୯.୩୦ ପ୍ରତିଶତ, ୩ଚକିଆ ୯.୫୨ ପ୍ରତିଶତ ଓ ଯାତ୍ରୀବାହୀ ଯାନ ୧୫.୯୯ ପ୍ରତିଶତ ବଢ଼ିଛି।
ସାରା ଦେଶରେ ଜୁନ୍‌ ମାସରେ ୨୦,୦୩,୮୭୩ଟି ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୪ର ଜୁନ୍‌ରେ ହୋଇଥିବା ୧୯,୧୧,୩୫୪ ଗାଡ଼ି ତୁଳନାରେ ୪.୮୪ ପ୍ରତିଶତ ଅଧିକ। ଦେଶରେ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ୨ଚକିଆ ବିକ୍ରି ୪.୭୩ ପ୍ରତିଶତ, ୩ଚକିଆ ୬.୬୮ ପ୍ରତିଶତ, ବାଣିଜ୍ୟିକ ଯାନ ୬.୬୦ ପ୍ରତିଶତ, ଯାତ୍ରୀବାହୀ ଯାନ ୨.୪୫ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୮.୬୮ ପ୍ରତିଶତ ବଢ଼ିଛି। ଉଭୟ ରାଜ୍ୟ ଓ ଦେଶରେ ୨ଚକିଆ ଗାଡ଼ି ଓ ଟ୍ରାକ୍ଟର ବିକ୍ରିରେ ଘଟିଥିବା ବୃଦ୍ଧି ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳ ଅର୍ଥନୀତିରେ ଥିବା ଉତ୍ସାହକୁ ଦର୍ଶାଉଛି। ଏହି ଦୁଇ ପ୍ରକାର ଗାଡ଼ି ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରେ ବିକ୍ରି ହୋଇଥାଏ।

Leave a comment