ଖସୁନି ଟମାଟୋ ଦର

ଭୁବନେଶ୍ବର : ରାଜଧାନୀ ବଜାରରେ ପରିବା ଦର ଉପରେ ଲଗାମ ଲାଗିଛି। କିନ୍ତୁ ଖୁଚୁରା ବଜାରରେ ଟମାଟୋ ଦର ଖସିନି। ଏବେ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ସ୍ଥାନୀୟ ପରିବା ରାଜଧାନୀ ବଜାରକୁ ଆସିଯିବ। ତେଣୁ ଦର ଆହୁରି କମିବ ବୋଲି କହିଛନ୍ତି ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ।ଏବେ ରାଜଧାନୀର ଖାଉଟି ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ଦର ବୃଦ୍ଧି ଯୋଗୁଁ ଯେଉଁ ପରିବା କିଣିବାକୁ ଲୋକେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ସେ ସବୁର ଦର କିଛିମାତ୍ରାରେ କମିଛି। ଅର୍ଥାତ କିଲୋ ପ୍ରତି ୧୫୦ ଟଙ୍କାରେ ପହଞ୍ଚି ଯାଇଥିବା ଟମାଟୋ ବର୍ତ୍ତମାନ ପାଇକାରୀରେ ୮୦ ଏବଂ ଖୁଚୁରାରେ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ପରିବା ମଧ୍ୟରେ ବାଇଗଣ କିଲୋ ୧୦୦ରୁ ୬୦, ଝୁଡ଼ୁଙ୍ଗ ୧୨୦ରୁ ୫୦, କାଙ୍କଡ଼ ୬୦ରୁ ୪୦, ପୋଟଳ ୧୨୦ରୁ ୬୦, ସଜନା ୧୦୦ରୁ ୫୦, ସାରୁ ୬୦ରୁ ୪୦, ଫୁଲକୋବି ଗୋଟା ୬୦ରୁ ୫୦କୁ କମିଛି ଏବଂ ବନ୍ଧାକୋବି କିଲୋ ପ୍ରତି ୫୦ରେ ଅପରିବର୍ତ୍ତିତ ରହିଛି। ସେହିପରି ଗାଜର ଦର ପୂର୍ବପେକ୍ଷା କିନ୍ତୁ ବୃଦ୍ଧି ପାଇଛି। ପାଇକାରୀରେ କିଲୋ ୨୦ରୁ ୨୫ ଟଙ୍କା ଏବଂ ଖୁଚୁରାରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଏହା ଆହୁରି କମ ଥିଲା। ଆଳୁ ଦର ବଢ଼ିଥିଲେ ମଧ୍ୟ ପିଆଜ କମିଛି। ପାଇକାରୀରେ ଆଳୁ ୧୪.୫୦ରୁ ୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ପିଆଜ କିଲୋ ପ୍ରତି ୨୦ରୁ ୧୮ ଟଙ୍କାକୁ କମିଛି।