ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ, କିଲୋ ୬୦୦ ଟଙ୍କା
ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଆଫ୍ଗାନିସ୍ତାନ ସହିତ ପାକିସ୍ତାନର ସଂଘର୍ଷ ଫଳରେ ଏହି ଦେଶଦ୍ବୟର ସୀମାରେ ଦୁଇଟି ପ୍ରମୁଖ ଫାଟକ ଯଥା ଟୋର୍କହାମ ଏବଂ ଚମନ ବନ୍ଦ ରହିଛି। ଏଥିଯୋଗୁ ପାକିସ୍ତାନକୁ ଟମାଟୋ ଆମଦାନି ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଦର ଉପରେ ପଡ଼ିଛି। ଇସଲାମାବାଦ ସମେତ ଅନ୍ୟ କେତେକ ପ୍ରମୁଖ ସହରରେ କିଲୋଗ୍ରାମ ପିଛା ଟମାଟୋ ଦର ପାକିସ୍ତାନୀ ମୁଦ୍ରାରେ ୬୦୦ ଟଙ୍କା ଭଳି ଉଚ୍ଚସ୍ତରରେ ପହଞ୍ଚିଛି।
ଅର୍ଥାତ ଟମାଟୋ ଦରରେ ପ୍ରାୟ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି। ଟମାଟୋ, ସେଓ ସମେତ ଅନ୍ୟାନ୍ୟ ପନିପରିବା ପାଇଁ ଆଫଗାନିସ୍ତାନ ଉପରେ ପାକିସ୍ତାନ ଅନେକ ମାତ୍ରାରେ ନିର୍ଭରଶୀଳ। କିନ୍ତୁ ଦୁଇ ଦେଶ ମଧ୍ୟରେ ଚଳିତମାସରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ପ୍ରାୟ ୫୦୦୦ ମାଲ ବୋଝେଇ କଣ୍ଟେନର ଦୁଇ ଦେଶର ସୀମାରେ ଅଟକି ରହିଛି।