ଜିଏସ୍‌ଟି ହ୍ରାସ ଘୋଷଣା ପରେ ଏକାଧିକ କାର୍‌ ନିର୍ମାତା ଗାଡ଼ି ମୂଲ୍ୟ କମାଇବା ନେଇ ‌ଘୋଷଣା

ଜିଏସ୍‌ଟି ହ୍ରାସ ଘୋଷଣା ପରେ ଏକାଧିକ କାର୍‌ ନିର୍ମାତା ଗାଡ଼ି ମୂଲ୍ୟ କମାଇବା ନେଇ ‌ଘୋଷଣା କରିଛନ୍ତି। ‌ସେମାନଙ୍କ ମଧ୍ୟରେ ଟାଟା, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ରେନୋ, ଟୟୋଟା ଆଦି ରହିଛନ୍ତି। ଟାଟା ମୋଟର୍ସ ଶୁକ୍ରବାର ଏ ନେଇ ଘୋଷଣା କରିଥିଲା। ଗ୍ରାହକଙ୍କୁ ଜିଏସ୍‌ଟି ହ୍ରାସର ଲାଭ ଦେବା ପାଇଁ ପାସେଞ୍ଜର ଯାନ ୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ବୋଲି ଟାଟା ମୋଟର୍ସ କହିଥିଲା। ଏକ ରିପୋର୍ଟ ଅନୁଯାୟୀ, ଟାଟା ଟିଆଗୋ ଦାମ୍‌ ୭୫ ହଜାର ଟଙ୍କା ଶସ୍ତା ହେବ। ସେହିଭଳି ଟାଟା ଟିଗୋର ଦାମ୍‌ ୮୦ ହଜାର ଟଙ୍କା, ଅଲଟ୍ରୋଜ୍‌ ଦାମ୍‌ ୧.୧୦ ଲକ୍ଷ ଟଙ୍କା, ପଞ୍ଚ୍‌ ଦାମ୍‌ ୮୫ ହଜାର ଟଙ୍କା, ନେକ୍ସନ ଦାମ୍‌ ୧.୫୫ ଲକ୍ଷ ଟଙ୍କା, କର୍ଭ ଦାମ୍‌ ୬୫ ହଜାର ଟଙ୍କା,  ହାରିୟର ଦାମ୍‌ ୧.୪ ଲକ୍ଷ ଟଙ୍କା ଏବଂ ସଫାରି ଦାମ୍‌ ୧.୪୫ ଲକ୍ଷ ଟଙ୍କା କମିବ। ଦିଲ୍ଲୀରେ ଗାଡ଼ିଗୁଡ଼ିକର ଏକ୍ସସୋରୁମ୍‌ ମୂଲ୍ୟ ଅନୁସାରେ ଏହି ହ୍ରାସ ହେବ ବୋଲି କୁହାଯାଇଛି।

ଶନିବାର ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ପାସେଞ୍ଜର ଯାନ ମୂଲ୍ୟରେ ୧.୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛି। ଏହାକୁ ତତ୍କାଳ ଲାଗୁ କରାଯାଇଛି। କମ୍ପାନି ବୋଲେରୋ, ନୂଆ ରେଞ୍ଜ ମୂଲ୍ୟ ୧.୨୭ ଲକ୍ଷ ଟଙ୍କା, ଏକ୍ସୟୁଭି୩ଏକ୍ସଓ(ପେଟ୍ରୋଲ) ମୂଲ୍ୟ ୧.୪ ଲକ୍ଷ, ଏକ୍ସୟୁଭି୩ଏକ୍ସଓ(ଡିଜେଲ) ମୂଲ୍ୟ ୧.୫୬ ଲକ୍ଷ ଟଙ୍କା ଥର୍‌ ୨ଡବ୍ଲୁଡି(ଡିଜେଲ) ମୂଲ୍ୟ ୧.୩୫ ଲକ୍ଷ, ଥର୍‌ ୪ଡବ୍ଲୁଡି(ଡିଜେଲ୍‌) ମୂଲ୍ୟ ୧.୦୧ ଲକ୍ଷ ଏବଂ ସ୍କର୍ପିଓ କ୍ଲାସିକ ମୂଲ୍ୟ ୧.୦୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛି। ଏହାବ୍ୟତୀତ ଅନ୍ୟାନ୍ୟ ଯାନ‌ ମୂଲ୍ୟ ମଧ୍ୟ କମ୍ପାନି କମାଇଛି।

ଟୟୋଟା କିର୍ଲୋସ୍କର ମୋଟର କମ୍ପାନି ଏହାର ବିଭିନ୍ନ ମଡେଲ ଗାଡ଼ି ମୂଲ୍ୟ କମାଇବା ନେଇ ଘୋଷଣା କରିଛି। ଏକ ରିପୋର୍ଟ ଅନୁଯାୟୀ, ଟୟୋଟା ଫର୍ଚୁନର ଦାମ୍‌ ସର୍ବାଧିକ ୩.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିବ। ଲିଜେଣ୍ଡର ଦାମ ୩.୩୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିବ। ହିଲକ୍ସ ଲାଇଫଷ୍ଟାଇଲ ପିକଅପ୍‌ ୨.୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିବ। ଏଥିସହିତ ଭେଲଫାୟାର ଓ କ୍ୟାମ୍ରି ଦାମ ୨.୭୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୧.୦୧ ଲକ୍ଷ ଟଙ୍କା ଯଥାକ୍ରମେ କମିବ। ଇନୋଭା କ୍ରିଷ୍ଟାରେ ୧.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ଘଟିବ। ଇନୋଭା ହାଇକ୍ରସ୍‌ ୧.୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିବ। ଗ୍ଲାଞ୍ଜା ଦାମ୍‌ ୮୫,୩୦୦ ଟଙ୍କା ପର୍ଯ୍ୟନ୍ତ କମିବାକୁ ଥିବାବେଳେ ଅର୍ବାନ କ୍ରୁଜର୍‌ ହାଇରାଇଡର ଦାମ ୬୫,୪୦୦ ଟଙ୍କା ପର୍ଯ୍ୟନ୍ତ କମିବ। ରେନୋ ଇଣ୍ଡିଆ ଏହାର ବିଭିନ୍ନ ମଡେଲ କାର୍‌ ଉପରେ ୯୬,୩୯୫ ଟଙ୍କା ପର୍ଯ୍ୟନ୍ତ ଦାମ କମାଇବ। ଆସନ୍ତା ୨୨ ତାରିଖରୁ ଡେଲିଭରି ନିଆଯିବାକୁ ଥିବା କାର୍‌ ଉପରେ ଏହି ଦାମ୍‌ କମିବ। କ୍ବିଡ୍ ଦାମ ୫୫,୦୯୫ ଟଙ୍କା ପର୍ଯ୍ୟନ୍ତ, ଟାଇବର୍‌ ୮୦,୧୯୫ ଟଙ୍କା ଏବଂ କାଇଗର୍‌ ୯୬,୩୯୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଦେଶର ସର୍ବବୃହତ୍ କାର୍‌ ନିର୍ମାତା ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍‌ସି ଭାର୍ଗବ ମଧ୍ୟ ଆଗାମୀ ଦିନରେ ଦର ହ୍ରାସ ନେଇ ଆଭାସ ଦେଇଛନ୍ତି। ମାରୁତିର ଅଲ୍ଟୋ ଦାମ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ, ୱାଗନଆର୍‌ ୬୦ରୁ ୬୭ ହଜାର ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ଆଶା କରାଯାଉଛି। ଭାର୍ଗବ କହିଛନ୍ତି କାର୍‌ ଦାମ ୯ ପ୍ରତିଶତ କମିପାରେ।

Leave a comment