ଦୁଇ ଚକିଆ ବିଦ୍ୟୁତ୍‌ ଯାନ ଉପରେ ସବ୍‌ସିଡି ବଢାଇଲେ କେନ୍ଦ୍ର ସରକାର

ଦୁଇ ଚକିଆ ବିଦ୍ୟୁତ୍‌ ଯାନ ଉପରେ କେନ୍ଦ୍ର ସରକାର ସବ୍‌ସିଡି ପ୍ରଦାନ ଅବଧିକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାର ଅବଧି ଚଳିତମାସ ୩୧ ତାରିଖରେ ଶେଷ ହେଉଥିଲା। ଏଥିସହିତ ଇ-ରିକ୍ସା ଓ ଇ-କାର୍ଟରେ ସବ୍‌ସିଡି ପ୍ରଦାନ ଅବଧିକୁ ଆଉ ୨ ବର୍ଷ ଅର୍ଥାତ୍‌ ଆସନ୍ତା ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପିଏମ୍‌ ଇ-ଡ୍ରାଇଭ୍‌ (ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ୍‌ ଡ୍ରାଇଭ ରିଭୋଲ୍ୟୁସସନ ଇନ୍‌ ଇନୋଭେଟିଭ୍‌ ଭେଇକିଲ୍‌ ଏନ୍‌ହାନ୍ସମେଣ୍ଟ୍‌) ସ୍କିମ୍‌ରେ ଗ୍ରାହକଙ୍କୁ ସବ୍‌ସିଡି ସୁବିଧା ଉପଲବ୍ଧ ହେଉଛି।ଦୁଇ ଚକିଆ ଇ-ଯାନ ପାଇଁ ମୋଟ ୧୭୭୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। କିନ୍ତୁ ଏଥିରୁ ୧୨୫୯.୯୧ ‌କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାଯାଇଛି ଯେ ଦୁଇ ଚକିଆ ଇ-ଯାନ ଟାର୍ଗେଟ୍‌ ପୂର୍ବର ୧.୪ ନିୟୁତରୁ ୨.୪୮ ନିୟୁତକୁ ବୃଦ୍ଧି କରାଯାଇଛି।ସେହିଭଳି ଇ-ରିକ୍ସା ଓ ଇ-କାର୍ଟ୍‌ କ୍ଷେତ୍ରରେ ପୂର୍ବରୁ ଟାର୍ଗେଟ୍‌ ୩୬,୪୬୨ ଥିବାବେଳେ ସଂପ୍ରତି ତାହାକୁ ୩୯,୦୩୪କୁ ବୃଦ୍ଧି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଦୁଇ ଚକିଆ ଇ-ଯାନ ବିକ୍ରି କରାଯାଇଛି। କିନ୍ତୁ ଇ-ରିକ୍ସା ଓ ଇ-କାର୍ଟ କ୍ଷେତ୍ରରେ ସଫଳତା ନଗଣ୍ୟ ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ୧୦ ପ୍ରତିଶତରୁ କମ୍‌ ରହିଛି। ସୂଚନା ଯୋଗ୍ୟ ଦୁଇ ଚକିଆ ଇ-ଯାନ ଏବଂ ଇ-ରିକ୍ସା କ୍ଷେତ୍ରରେ କ୍ରେତାଙ୍କୁ କିଲୋୱାଟ୍‌ ପିଛା ୨୫୦୦ ଟଙ୍କାର ସବ୍‌ସିଡି ମିଳିଥାଏ।

Leave a comment