ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି
ଦରଦାମ୍କୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ଲଢ଼େଇ କରିବା ପରେ ଯେଉଁ ସଫଳତା ପାଇଛନ୍ତି, ସେଥିପ୍ରତି ଚିନି ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଉତ୍ପାଦନ କମିବାରୁ ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି। ଆଗକୁ ଦାମ୍ ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଚିନି ଦରବୃଦ୍ଧିର ପ୍ରତିଫଳନ ଓଡ଼ିଶା ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ମାସକ ଭିତରେ ରାଜ୍ୟର ଖୁଚୁରା ବଜାରରେ ଚିନି କେଜି ୫ ଟଙ୍କା ମହଙ୍ଗା ହୋଇଛି। ପୂର୍ବରୁ କେଜି ୪୫ ଟଙ୍କା ଥିଲା। ଏବେ ତାହା ୫୦ ଟଙ୍କା ପାଖାପାଖି ବିକ୍ରି ହେଉଛି। ପାଇକାରୀ ବଜାରରେ ଚିନି କ୍ବିଣ୍ଟାଲ ଦାମ୍ ୩୯୫୦ ଟଙ୍କା ଥିଲା। ସେହି ଦାମ୍ ବୃଦ୍ଧି ପାଇ ୪୩୦୦ ଟଙ୍କା ପାଖାପାଖି ହୋଇଯାଇଛି। ଅର୍ଥାତ ଦାମ୍ରେ କ୍ବିଣ୍ଟାଲ ପିଛା ୩୫୦ ଟଙ୍କାର ବୃଦ୍ଧି ଘଟିଛି। ଚିନି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ କହିଲେ ସମ୍ପୂର୍ଣ୍ଣ ଭୁଲ ହେବ ନାହିଁ। କାରଣ ନିଜ ଆବଶ୍ୟକତାର ମାତ୍ର ୫ ପ୍ରତିଶତ ଚିନି ରାଜ୍ୟରେ ଉତ୍ପାଦନ ହେଉଛି। ୯୫ ପ୍ରତିଶତ ବାହାରୁ ମଗାଇବାକୁ ପଡ଼ୁଛି। ଗଞ୍ଜାମର ଆସ୍କା, ନୟାଗଡ଼ରେ ଥିବା ଚିନି କଳ ବନ୍ଦ ରହିଛି। ଢେଙ୍କାନାଳରେ ଥିବା ଶକ୍ତି ସୁଗାରରୁ ଯାହା କିଛି ଉତ୍ପାଦନ ହେଉଛି। ଓଡ଼ିଶାରେ ବର୍ଷକୁ ୯.୫-୧୦ ଲକ୍ଷ ଟନ୍ ଚିନି ଦରକାର ହେଉଛି।
ଦେଶରେ ଖରାପ ପାଣିପାଗ ଦ୍ବାରା ଆଖୁ ଚାଷ ପ୍ରଭାବିତ ହେବା ଏବଂ ଦୀର୍ଘ ୨ ବର୍ଷ ବ୍ୟବଧାନ ପରେ ଚିନି ରପ୍ତାନି ପାଇଁ ଅନୁମତି ଦିଆଯିବାରୁ ବଜାରରେ ଚିନି ଯୋଗାଣ କମ୍ ହୋଇଛି। ତାହାର ପ୍ରଭାବରେ ଦାମ୍ ବଢ଼ୁଛି। ବହୁଳ ଭାବେ ବ୍ୟବହାର ହେଉଥିବା ମହାରାଷ୍ଟ୍ର ଚିନିର ଏକ୍ସ-ମିଲ୍ ଦାମ୍ ଯାହା ଦୁଇ ମାସ ପୂର୍ବେ କ୍ବିଣ୍ଟାଲ ପିଛା ୩୩୮୦ ଟଙ୍କା ଥିଲା ତାହା ଏବେ ୩୭୯୦ ଟଙ୍କାକୁ ବୃଦ୍ଧି ପାଇଛି। ମାସକ ତଳେ ତାହାର ଦାମ୍ କ୍ବିଣ୍ଟାଲ ପିଛା ୩୫୬୫ ଟଙ୍କା ଥିଲା। ଦୁଇ ମାସ ଭିତରେ ଚିନି ମୂଲ୍ୟ ୧୨ ପ୍ରତିଶତ ବଢ଼ିଲାଣି। ଆଖୁ ଅଭାବ ଦେଖାଦେବାରୁ ଚିନି କଳଗୁଡ଼ିକ ଆଗୁଆ ବନ୍ଦ ହୋଇଛି। ଭାରତରେ ସାଧାରଣତଃ ଅକ୍ଟୋବରରୁ ମେ’ ମାସ ପର୍ଯ୍ୟନ୍ତ ୪-୬ ମାସ ଲାଗି ଚିନି କଳଗୁଡ଼ିକ ଚାଲିଥାଏ। ଏଥର ସେଗୁଡ଼ିକ ଆଗୁଆ ବନ୍ଦ ହୋଇଛି। ଗତବର୍ଷ ୫୦୫ଟି ଚିନି କଳ ଚାଲୁଥିଲା। ଏଥର ମାତ୍ର ୪୫୪ଟି ଚିନି କଳ ଚାଲିଛି। ୭୭ଟି କଳ ବନ୍ଦ ହୋଇଛି। ତେଣୁ ଏବେ କେବଳ ୩୭୭ଟି ଚିନି କଳରେ ଉତ୍ପାଦନ ହେଉଛି। ବନ୍ଦ ହୋଇଥିବା ଅଧିକାଂଶ ଚିନି କଳ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ରହିଛି। ୨୦୨୪-୨୫ରେ ଚିନି ଉତ୍ପାଦନ କମ୍ ରହିବା ନେଇ ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି।