ରାଜ୍ୟ ଖଣି ପ୍ରସ୍ତୁତି ସୂଚୀ ଓ ରାଜ୍ୟ ରୢାଙ୍କିଂ ୨୦୨୫ ରିପୋର୍ଟ – ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ସ୍ଥାନ ପାଇନାହିଁ ଓଡ଼ିଶା
ଓଡ଼ିଶା ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟ। ଲୁହାପଥର, କୋଇଲା, ବକ୍ସାଇଟ୍, କ୍ରୋମାଇଟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ରାଜ୍ୟ ମାଟିତଳେ ରହିଛି। କିନ୍ତୁ ଖଣି ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ଯେତିକି ତତ୍ପର ରହିବା କଥା ତାହା ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରାଜ୍ୟ ଖଣି ପ୍ରସ୍ତୁତି ସୂଚୀ ଓ ରାଜ୍ୟ ରୢାଙ୍କିଂ ୨୦୨୫ ରିପୋର୍ଟରୁ ଏଭଳି ସଙ୍କେତ ମିଳିଛି। ରାଜ୍ୟଗୁଡ଼ିକୁ କ, ଖ ଓ ଗ ଭଳି ତିନିଟି ବର୍ଗରେ ଭାଗ କରି ଶ୍ରେଷ୍ଠ ତିନି ରାଜ୍ୟଗୁଡ଼ିକର ନାମ ଘୋଷଣା କରାଯାଇଛି। କୌଣସି ବର୍ଗରେ ଓଡ଼ିଶା ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ସ୍ଥାନ ପାଇନାହିଁ।
ଖଣି ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁସାରେ ‘କ’ ବର୍ଗରେ ଶ୍ରେଷ୍ଠ ତିନିଟି ସ୍ଥାନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ରହିଛନ୍ତି। ‘ଖ’ ବର୍ଗରେ ଗୋଆ, ଉତ୍ତରପ୍ରଦେଶ ଓ ଆସାମ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି। ‘ଗ’ ବର୍ଗରେ ଶ୍ରେଷ୍ଠ ତିନିଟି ରାଜ୍ୟ ହେଉଛନ୍ତି ପଞ୍ଜାବ, ଉତ୍ତରାଖଣ୍ଡ ଓ ତ୍ରିପୁରା। ଅଣ କୋଇଲା କ୍ଷେତ୍ରରେ ଖଣି ନିଲାମ, ଖଣିକୁ ଆଗୁଆ କାର୍ଯ୍ୟକ୍ଷମ କରିବା, ଅନୁସନ୍ଧାନ ଉପରେ ବିଶ୍ବାସ ଏବଂ ସ୍ଥାୟୀ ଖଣି ଅଭ୍ୟାସ ଭଳି ମାନଦଣ୍ଡ ଆଧାରରେ ରାଜ୍ୟଗୁଡ଼ିକୁ ଅନୁଶୀଳନ କରାଯାଇଥିଲା। ରାଜ୍ୟ ଖଣି ପ୍ରସ୍ତୁତି ସୂଚୀ ସମ୍ପର୍କରେ ଚଳିତ ଆର୍ଥିକ ବର୍ଷର ବଜେଟ୍ରେ ଘୋଷଣା କରାଯାଇଥିଲା। ଖଣି କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ରାଜ୍ୟଗୁଡ଼ିକୁ ଉତ୍ସାହିତ କରିବାକୁ ଏହି ସୂଚୀ ଜାରି କରାଯାଇଛି। ଏହା ରାଜ୍ୟଗୁଡ଼ିକର ପ୍ରଦର୍ଶନରେ ମାନଦଣ୍ଡ ନିର୍ଧାରଣ କରିବା ସହ ସ୍ବାସ୍ଥ୍ୟକର ପ୍ରତିଯୋଗିତାକୁ ଉତ୍ସାହିତ କରିବ। ଫଳରେ ଖଣି ସଂସ୍କାର ପ୍ରକ୍ରିୟା ତ୍ବରାନ୍ବିତ ହୋଇ ସାରା ଦେଶରେ ସମ୍ବଳର ଉଚିତ ପରିଚାଳନା ହୋଇପାରିବ ବୋଲି ଆଶା କରାଯାଉଛି।
ଖଣି ପ୍ରସ୍ତୁତି ସୂଚୀର ପ୍ରଦର୍ଶନ ଅନୁସାରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଦେବା ଲାଗି ୫୦୦୦ କୋଟି ଟଙ୍କାର ଏକ ଯୋଜନା ଘୋଷଣା କରାଯାଇଛି। ଲଘୁ ଖଣିଜରେ ସଂସ୍କାର ପାଇଁ ୨୦୦୦ କୋଟି ଟଙ୍କା, ପ୍ରମୁଖ ଖଣିଜ ସଂସ୍କାର ପାଇଁ ୨୧୦୦ କୋଟି ଟଙ୍କା ଓ ରାଜ୍ୟ ଖଣି ପ୍ରଯୁକ୍ତି ସୂଚୀ ଆଧାରିତ ସଂସ୍କାର ପାଇଁ ୯୦୦ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ଯେହେତୁ ଓଡ଼ିଶାର ପ୍ରଦର୍ଶନ ଶ୍ରେଷ୍ଠ ତିନି ରାଜ୍ୟ ମଧ୍ୟରେ ନାହିଁ, ତେଣୁ ଏହି ଯୋଜନାର ଲାଭ ଓଡ଼ିଶାକୁ ମିଳିବା ନାହିଁ। କାରଣ ଶ୍ରେଷ୍ଠ ତିନି ରାଜ୍ୟଗୁଡ଼ିକୁ ଏହି ସ୍ବତନ୍ତ୍ର ସହାୟତା ଦେବାର ବ୍ୟବସ୍ଥା ରହିଛି।