ଗୋଟିଏ ଦିନରେ ଟଙ୍କା ମୂଲ୍ୟ ୧.୪% ବୃଦ୍ଧି ପାଇ ଡଲାର ପିଛା ୯୦.୨୭ ସ୍ତରରେ ପହଞ୍ଚିଛି
ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ ଟଙ୍କା ମୂଲ୍ୟ ୧.୪% ବୃଦ୍ଧି ପାଇ ଡଲାର ପିଛା ୯୦.୨୭ ସ୍ତରରେ ପହଞ୍ଚିଛି। ୨୦୧୮ ମସିହା ପରଠାରୁ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ଏହା ସବୁଠାରୁ ବଡ଼ ସୁଧାର।
କାହିଁକି ବଢ଼ିଲା ଟଙ୍କା ମୂଲ୍ୟ?
ଆମେରିକା ପକ୍ଷରୁ ଭାରତୀୟ ସାମଗ୍ରୀ ଉପରେ ରପ୍ତାନି ଶୁଳ୍କକୁ ୨୫% ରୁ ୧୮% କୁ ହ୍ରାସ କରାଯାଇଛି। ରୁଷିଆଠୁ ଅଶୋଧିତ ତେଲ କିଣିବା କାରଣରୁ ଭାରତ ଉପରେ ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଚୁକ୍ତି ପରେ ବିଦେଶୀ ନିବେଶକମାନେ (FPI) ପୁଣିଥରେ ଭାରତୀୟ ବଜାର ପ୍ରତି ଆକୃଷ୍ଟ ହୋଇଛନ୍ତି, ଯାହା ଟଙ୍କାକୁ ଏସିଆର ସବୁଠାରୁ ଶକ୍ତିଶାଳୀ ମୁଦ୍ରାରେ ପରିଣତ କରିଛି।
ଆଗକୁ କି ପ୍ରଭାବ ପଡ଼ିବ?
ବିଶେଷଜ୍ଞଙ୍କ ମତରେ, ଏହି ଚୁକ୍ତି ଫଳରେ ଭାରତର ରପ୍ତାନିକାରୀମାନେ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶମାନଙ୍କ ସହ ସମାନ ସ୍ତରରେ ପ୍ରତିଯୋଗିତା କରିପାରିବେ। ଆଗାମୀ ଦୁଇ ମାସ ମଧ୍ୟରେ ଟଙ୍କା ମୂଲ୍ୟ ୮୮ ସ୍ତରକୁ ମଧ୍ୟ ଯାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହା କେତେ ଶୀଘ୍ର ହେବ, ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନୀତି ଉପରେ ନିର୍ଭର କରିବ।