ଭାରତ ପାଇଁ ପ୍ରଥମ ନିଯୁକ୍ତି ସୁଯୋଗ ନେଇ ଆସୁଛି ଓପନ୍ ଏଆଇ,ପ୍ରଥମ ଅଫିସ୍ ଦିଲ୍ଲୀରେ ଖୋଲିବ
ଭାରତ ପାଇଁ ପ୍ରଥମ ନିଯୁକ୍ତି ସୁଯୋଗ ନେଇ ଆସୁଛି ଓପନ୍ ଏଆଇ। ବର୍ତ୍ତମାନ କମ୍ପାନିର ଭାରତରେ କେବଳ ଜଣେ କର୍ମଚାରୀ ଅଛନ୍ତି। ସିଏ ହେଉଛନ୍ତି ପ୍ରଜ୍ଞା ମିଶ୍ର। ଯିଏକି ଦେଶରେ ସାର୍ବଜନୀନ ନୀତି ଏବଂ ସହଭାଗୀତାର ନେତୃତ୍ୱ ନେଉଛନ୍ତି। କମ୍ପାନି ଏବେ ଭାରତରେ ତା’ର କାୟା ବିସ୍ତାର କରିବାର ଯୋଜନା କରି ସାରିଲାଣି। ଏବେ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ଜାଣିବାକୁ ମିଳିଛି ଯେ ଓପନ୍ ଏଆଇ ତା’ର ପ୍ରଥମ ଅଫିସ୍ ଜାତୀୟ ରାଜଧାନୀ ଦିଲ୍ଲୀରଠାରେ ଖୋଲିବାର ଯୋଜନା ରହିଛି। ଯଦି ବାସ୍ତବରେ ଏଇ ବର୍ଷ ଅଫିସ୍ ଖୋଲେ, ତେବେ କମ୍ପାନିର ସିଇଓ ସାମ୍ ଅଲ୍ଟମାନ୍ ବର୍ଷକରୁ କମ୍ ସମୟ ମଧ୍ୟରେ ଦ୍ବିତୀୟ ଥର ପାଇଁ ଭାରତ ଗସ୍ତ କରିବେ।
ଆପଣ ଜାଣନ୍ତି ନିଶ୍ଚୟ ଯେ ଓପନ୍ ଏଆଇ ହେଉଛି ଚାଟ୍ଜିପିିଟିର ମୂଳ ସଂସ୍ଥା। ଓପନଏଆଇର ଏହି ନିଯୁକ୍ତି ଭାରତରେ ଏଆଇ ଗ୍ରହଣ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରଣନୀତିକ ପଦକ୍ଷେପ । ଭାରତ ବର୍ତ୍ତମାନ ଚାଟଜିପିଟିର ଦ୍ୱିତୀୟ ବୃହତ୍ତମ ବଜାର, ଯେଉଁଠାରେ ଗତବର୍ଷ ସାପ୍ତାହିକ ସକ୍ରିୟ ଉପଭୋକ୍ତା ଚାରିଗୁଣ ବୃଦ୍ଧି ପାଇଛି । ଓପନ ଏଆଇ ସରକାର, ବ୍ୟବସାୟୀ, ଡେଭେଲପର ଏବଂ ଶିକ୍ଷାନୁଷ୍ଠାନ ସହିତ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।