କମେଡିଆନ୍ କୁନାଲ୍‌ ଓ ଓଲା ସିଇଓ ଭବିଷ ଅଗ୍ରୱାଲ୍‌ଙ୍କ ମଧ୍ୟରେ କାହିଁକି ଚାଲିଛି ଟ୍ବିଟ୍‌ ଯୁଦ୍ଧ ?

ଓଲା ଇଲେକ୍ଟ୍ରିକ୍ ସ୍କୁଟର୍‌ର ସର୍ଭିସିଂ ସମସ୍ୟାକୁ ନେଇ ଯୁଦ୍ଧ । ଏନେଇ ଦୁଇ ଭାଗ ହୋଇଛନ୍ତି ୟୁଜର । ଗୋଟିଏ ପକ୍ଷ କୁନାଲଙ୍କୁ ଗାଳି କରୁଥିବା ବେଳେ ଆଉ ଦଳେ ସର୍ପୋର୍ଟ କରୁଛନ୍ତି । ଏହାରି ଭିତରେ  ସୋସିଆଲ ମିଡିଆରେ କମେଡିଆନ୍ କୁନାଲ୍‌ କାମ୍‌ରା ଓ ଓଲାର ସିଇଓ ଭବିଷ ଅଗ୍ରୱାଲ୍‌ଙ୍କ ମଧ୍ୟରେ ଟ୍ବିଟ୍‌ ଯୁଦ୍ଧ ଦେଖିବାକୁ ମିଳିଛି।

ଓଲା ଇଭି କିଣିଥିବା ଗ୍ରାହକମାନେ କିଭଳି ସମସ୍ୟା ଦେଇ ଗତି କରୁଛନ୍ତି ତାହା ଜଣାଇବା ଲାଗି ସର୍ଭିସ୍‌ ସେଣ୍ଟର ସାମ୍ନାରେ ରହିଥିବା ଗାଡ଼ିର ଫଟୋକୁ କାମ୍‌ରା ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଆଉ ତାପରେ ଏହାକୁ ନେଇ ଆଲୋଚନା ହୋଇଥିଲା ସୋସିଆଲ ମିଡିଆରେ ।

ଗ୍ରାହକଙ୍କ ପାଖରେ ଆଉ କିଛି ବିକଳ୍ପ ଅଛି କି? ସେମାନେ କ’ଣ ଏଭଳି ସମସ୍ୟା ପାଇଁ ହକଦାର କି ବୋଲି ସେ ପ୍ରଶ୍ନ କରିଥିଲେ। ତାଙ୍କର ସେହି ଟ୍ବିଟ୍‌କୁ ନେଇ ଓଲା ସିଇଓ ଶ୍ରୀ ଅଗ୍ରୱାଲ୍‌ ରାଗି ଯାଇଥିଲେ। ଯଦି ପ୍ରକୃତରେ ଲୋକଙ୍କ ଚିନ୍ତା କରୁଛ ତେବେ ଆମ ସହ ମିଶି ଲୋକଙ୍କୁ ସାହାଯ୍ୟ କର ବୋଲି ସେ କାମ୍‌ରାଙ୍କୁ ଆହ୍ବାନ ଦେବା ସହ ତାଙ୍କ କମେଡି କ୍ୟାରିୟରକୁ ବିଫଳ ବୋଲି କହିଥିଲେ। ଟଙ୍କା ନେଇ ସେ ଏହି ଟ୍ବିଟ୍‌ କରିଥିବା ଅଗ୍ରୱାଲ୍ ଅଭିଯୋଗ କରିଥିଲେ। ତାଙ୍କୁ ଚୁପ୍ ବସିବାକୁ ଧମକ ଦେଇଥିଲେ।

ଅଗ୍ରୱାଲଙ୍କ ଉତ୍ତରର ଜବାବ ଦେଇ କାମ୍‌ରା ଲେଖିଥିଲେ ଯେ ପେଡ୍ ଟ୍ବିଟ୍‌, ବିଫଳ କମେଡି କ୍ୟାରିୟର ଓ ଚୁପ୍ ବସିବାକୁ କହୁଥିବା ଭାରତୀୟ ବ୍ୟବସାୟୀ କେତେ ଉଦାର ସେଥିରୁ ଜଣାପଡ଼ୁଛି। ଏହି ଟ୍ବିଟ୍‌ ପାଇଁ ‌ମୋତେ ଟଙ୍କା ମିଳିଥିବା ପ୍ରମାଣ କଲେ ମୁଁ ସୋସିଆଲ ମିଡିଆରୁ ମୋର ସବୁ କିଛି ଡିଲିଟ୍‌ କରି ଚୁପ୍ ରହିବି ବୋଲି ସେ କହିଛନ୍ତି।

ଏହା ପରେ ଅଗ୍ରୱାଲ୍ ପୁଣି ଉତ୍ତର ଦେଇଥିଲେ। ଆଘାତ ଲାଗିଲା, କଷ୍ଟ ହେଲା କି ବୋଲି କାମ୍‌ରାଙ୍କୁ ପରାଚିବା ସହିତ ବହୁ କାମ ଅଛି, ସର୍ଭିସ୍‌ ସେଣ୍ଟର ଆସ ବୋଲି ତାଙ୍କୁ ଡାକିଛନ୍ତି ।