ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ- ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଯାଉଥିବା ବାଣିଜ୍ୟ ରାଜିନାମାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଜଣାଇଛନ୍ତି ଯେ ଏହା ରାଜ୍ୟର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ। ଆମେରିକା ଶୁଳ୍କ କମ୍ କରିଥିବାରୁ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବଢ଼ିବ। ଏହାଦ୍ବାରା ଉପକୂଳ ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ଓ ଚାଷୀଙ୍କ ଆୟରେ ବୃଦ୍ଧି ଘଟିବ। ଓଡ଼ିଶା ଆଗାମୀ ଦିନରେ ନୀଳ ଅର୍ଥନୀତିର ଏକ ପ୍ରମୁଖ ହବ୍ ହେବ ବୋଲି ସେ କହିଛନ୍ତି।ଶୁଳ୍କ କୋହଳ ହେବାକୁ ଯାଉଥିବାରୁ ଓଡ଼ିଶାର ହସ୍ତତନ୍ତ ଓ ରେଡିମେଡ୍ ପୋଷାକ ରପ୍ତାନି ବଢ଼ିବ। ରାଜ୍ୟର ବୟନ କାରିଗରର ଯାଦୁ ବିଶ୍ବବ୍ୟାପୀ ପହଞ୍ଚିପାରିବ। ରପ୍ତାନି ବଢ଼ିଲେ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ରୋଜଗାରେ ଉନ୍ନତି ଘଟିବ। ବିଶ୍ବ ବଜାରରେ ଓଡ଼ିଶାର ପାରମ୍ପରି ପୋଷାକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନିର ଏକ ପ୍ରମୁଖ ରାଜ୍ୟ। ସିଂହଭାଗ ଚିଙ୍ଗୁଡ଼ି ଆମେରିକା ବଜାରକୁ ଯାଉଥିଲା। ଆମେରିକା ସରକାର ଶୁଳ୍କ ଲଗାଇବା ପରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପ, ଚିଙ୍ଗୁଡ଼ି ଚାଷୀଙ୍କ ରୋଜଗାର ପ୍ରତି ବିପଦ ସୃଷ୍ଟି ହୋଇଥିଲା। ରାଜ୍ୟରୁ ବର୍ଷକୁ ପ୍ରାୟ ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରାଯାଉଛି। ସେଥିରୁ ୨୦୦୦ କୋଟି ଟଙ୍କା ଆମେରିକାକୁ ପଠାଯାଉଥିଲା। ଆମେରିକା ଯାଉଥିବା ଚିଙ୍ଗୁଡ଼ି ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂହପୁର ,ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଚାଷ କରାଯାଉଛି।କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ହୋଇଥିବା ବାଣିଜ୍ୟ ରାଜିନାମା ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ ହ୍ରାସ କରି ୧୮ ପ୍ରତିଶତ କରାଯାଇଛି। ଗତବର୍ଷ ଅଗଷ୍ଟରେ ଭାରତ ଉପରେ ଆମେରିକା ଦୁଇ ପ୍ରକାରରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲା। ୨୫ ପ୍ରତିଶତକୁ ପାଲଟା ଶୁଳ୍କ ଆକାରରେ ଓ ରୁଷଠାରୁ ତେଲ କିଣୁଥିବାରୁ ଆଉ ୨୫ ପ୍ରତିଶତ ଶୁଳ୍କକୁ ଜରିମାନା ଭାବେ ଲଗାଇଥିଲା। ଦୁଇ ପକ୍ଷ ଏକାଧିକ ଆଲୋଚନା କରି ଏକ ବାଣିଜ୍ୟ ରାଜିନାମାରେ ପହଞ୍ଚିଛନ୍ତି। ଖୁବ୍ଶୀଘ୍ର ସେହି ରାଜିନାମା ସ୍ବାକ୍ଷର ହେବାକୁ ଯାଉଛି।