ଆଜି ଆସିବ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଓଡ଼ିଶା ବଜେଟ

ଆର୍ଥିକ ବର୍ଷ ୨୦୨୬-୨୭ ଲାଗି  ଆଜି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅପରାହ୍ଣ ୪ଟାରେ ବଜେଟ ଉପସ୍ଥାପନ କରିବେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନକ୍ସା ପ୍ରସ୍ତୁତ ହୋଇଛି। ପୂର୍ବ ବଜେଟଠାରୁ ଚଳିତ ବର୍ଷ ବଜେଟର ଆକାର ବଢ଼ି ୩ ଲକ୍ଷ ୧୦ହଜାର କୋଟି ଟଙ୍କା ଟପିପାରେ, ଯାହା ବିକଶିତ ଓଡ଼ିଶା ସ୍ବପ୍ନକୁ ଆହୁରି ବଳ ଯୋଗାଇବ। ବିକଶିତ ଓଡ଼ିଶା ପାଇଁ ଚଳିତ ବଜେଟରେ କିଛି ନୂଆ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ବିକାଶ ଏବଂ ବିରୋଧୀଙ୍କୁ ମାଷ୍ଟରଷ୍ଟ୍ରୋକ ଦେଲାଭଳି ବଜେଟ ପ୍ରସ୍ତୁତ ହୋଇଥିବା ଶାସକ ଦଳ କହୁଛି। ଓଡ଼ିଶାବାସୀଙ୍କ ପାଇଁ ମୋହନ ସରକାର ଖୋଲିବାକୁ ଥିବା ମୁଣିରେ କ’ଣ ସବୁ ନୂଆ ରହିଛି ତାହା ବଜେଟ ଉପସ୍ଥାପନ ପରେ ଜଣାପଡ଼ିବ।

ବଜେଟରେ ସାଧାରଣ ଲୋକେ କେତେ ଲାଭବାନ ହେବେ ତାହା ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି। ରାଜ୍ୟପାଳ ବିଧାନସଭାରେ ଅଭିଭାଷଣ ରଖି କହିଛନ୍ତି, ଭାରତର ତୃତୀୟ ବୃହତ ଅର୍ଥନୀତି ହେବ ଓଡ଼ିଶା। ବିକଶିତ ଭାରତ ପାଇଁ ଓଡ଼ିଶା ସାଜିବ ଗ୍ରୋଥ୍‌ ଇଞ୍ଜିନ। ରାଜ୍ୟପାଳଙ୍କ ଏହି ଅଭିଭାଷଣକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଆସୁଛି ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ କିଛି ନୂଆ ଯୋଜନା ଆଣିପାରନ୍ତି ସରକାର। ଅତିରିକ୍ତ ଇନପୁଟ୍‌ ସହାୟତା ଓ ସୁଭଦ୍ରା ଯୋଜନା ପାଇଁ ଅଧିକ ବ୍ୟୟବରାଦ ରହିପାରେ। ଗ୍ରାମୀଣ ବିକାଶ ଓ ରୋଜଗାର ପାଇଁ ଅଧିକ ଅନୁଦାନ ଦେଇପାରନ୍ତି ମୋହନ ସରକାର। ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ଓ ସଡ଼କ ପରିବହନର ଆଦି ବିକାଶ ପାଇଁ ନିଆଯାଇପାରେ ବଡ଼ ନିଷ୍ପତ୍ତି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବାକୁ ମିଳିପାରେ ଅଧିକ ଅନୁଦାନ। ତେବେ ସାଧାରଣ ଲୋକଙ୍କ ସ୍ବାର୍ଥ ଏହି ବଜେଟ ପୁରା କରିବ ବୋଲି କହିଛି ଶାସକ ଦଳ। କ୍ରମାଗତ ତୃତୀୟଥର ପାଇଁ ଶ୍ରୀ ମାଝୀ ବିଧାନସଭାରେ ବାର୍ଷିକ ବଜେଟ ଆଗତ କରିବେ।

୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ। ସେଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୯୭ହଜାର ୭୨୫ କୋଟି ଟଙ୍କା ଥିବାବେଳେ କାର୍ଯ୍ୟକ୍ରମ ବାବଦକୁ ୧ଲକ୍ଷ ୫୫ ହଜାର କୋଟି ଟଙ୍କା ରହିଥିଲା। ଏହାସହିତ ୩ହଜାର ୯୦୦ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବା ବେଳେ ୮ହଜାର ୩୭୫ କୋଟି ଅନ୍ୟାନ୍ୟ ବ୍ୟୟ ବାବଦକୁ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ଅାଣିଥିଲେ। ସେଥିମଧ୍ୟରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୮ହଜାର କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧ଲକ୍ଷ ୭୦ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୪ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ଲାଗି ୮ହଜାର କୋଟି ଟଙ୍କା ରହିଥିଲା। ଏଥର ବଜେଟରେ କ’ଣ ଶସ୍ତା ହେବ ଏବଂ କ’ଣ ମହଙ୍ଗା ହେବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରଖିଛି। ଗତ ବଜେଟରେ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଧିକ ଫୋକସ୍ ଦେଇଥିବାବେଳେ ଏହି ବଜେଟରେ ସରକାର କେଉଁ ବିଭାଗକୁ ଅଧିକ ଗୁରୁତ୍ବ ଦେଉଛନ୍ତି ତାହା ଉପରେ ନଜର ରହିଛି।
ଅନ୍ୟପଟେ ବଜେଟ ବୃଦ୍ଧିକୁ କଟାକ୍ଷ କରିଛନ୍ତି ବିରୋଧୀ। ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ, ବଜେଟ୍‌ ବୃଦ୍ଧି କରି ଲାଭ କ’ଣ ବୋଲି ପ୍ରଶ୍ନ ଉଠାଇଛି ବିଜେଡି। କଂଗ୍ରେସ କହିଛି, ବଜେଟର ପ୍ରତିଫଳନ ରାଜ୍ୟ ବିକାଶରେ ଦେଖିବାକୁ ମିଳୁନି। ଶାସକ-ବିରୋଧୀଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ଲୋକଙ୍କ ସରକାର ଲୋକଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି ତାହା ବଜେଟ ଉପସ୍ଥାପନ ପରେ ଜଣାପଡ଼ିବ।

Leave a comment