ଓଡ଼ିଶାର ହେବ ନୂଆ ବନ୍ଦର
ରାଜ୍ୟ ସରକାର ନୂଆ ବନ୍ଦର ବିକାଶ କରିବାକୁ ଯୋଜନା ରଖିଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହେବା ଲାଗି ବନ୍ଦର ବିକାଶକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ରହିଛି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁର ଗସ୍ତ ସମୟରେ ଜୁରଙ୍ଗ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଓ ଟୁଆସ୍ ବନ୍ଦର ପରିଦର୍ଶନ କରି ସେହି ଢାଞ୍ଚାକୁ ଓଡ଼ିଶାରେ ଲାଗୁ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ସେଥିପାଇଁ ସିଙ୍ଗାପୁରର ସଂସ୍ଥା ସୁର୍ବନା ଜୁରଙ୍ଗ ସହ ଚୁକ୍ତି ସ୍ବାକ୍ଷର କରିବା ଉପରେ ସରକାର ବିଚାର କରୁଛନ୍ତି। ନୂଆ ବନ୍ଦର ସମ୍ପର୍କରେ ଆସନ୍ତା ବର୍ଷ ଜାନୁଆରିରେ ୨୮ ଓ ୨୯ରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ଘୋଷଣା ହେବାର ସମ୍ଭାବନା ରହିଛି। କନ୍କ୍ଲେଭ୍ରେ ଯୋଗଦେବା ଲାଗି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ସନମୂଗରତ୍ନମଙ୍କୁ ଆମନ୍ତ୍ରଣ କରାଯାଇଛି। ତାଙ୍କ ଉପସ୍ଥିତିରେ ବନ୍ଦର ବିକାଶ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଘୋଷଣା ଓ ବୁଝାମଣା ଘୋଷଣା ହୋଇପାରେ। ବନ୍ଦର ବିକାଶ ଲାଗି ସିଙ୍ଗାପୁର ବୈଷୟିକ ସହାୟତା ପ୍ରଦାନ କରିବା ସମ୍ଭାବନା ରହିଛି।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ବାଲେଶ୍ବରର ବାହାବଳପୁର, ଚାନ୍ଦିପୁର ଓ ଇଞ୍ଚୁଡ଼ି, ପୁରୀର ବାଲିହରଚଣ୍ଡି ଏବଂ ଗଞ୍ଜାମର ପାଲୁର ଓ ବାହୁଦାମୁହାଣରେ ବନ୍ଦର ନିର୍ମାଣ କରିବାକୁ ସ୍ଥାନ ନିରୂପଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ନିର୍ମାଣ ହେବାକୁ ଯାଉଥିବା ନୂଆ ବନ୍ଦର ଏହି ସ୍ଥାନଗୁଡ଼ିକ ମଧ୍ୟରୁ ଯେକୌଣସି ସ୍ଥାନ ହେବାର ସମ୍ଭାବନା ରହିଛି। ବାଲେଶ୍ବରର ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ନିର୍ମାଣ ଲାଗି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ସହ ସରକାର ରିହାତି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହାର ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟ ସହିତ ଜମି ଅଧିଗ୍ରହଣ ଜାରି ରହିଛି। ସେହିପରି ଜଗତସିଂହପୁରର ଜଟାଧାରୀ ମୁହାଣରେ ଏକ ନିଜସ୍ବ ଜେଟୀ ସ୍ଥାପନ କରିବା ଲାଗି ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। କମ୍ପାନି ସ୍ଥାପନ କରିବାକୁ ଥିବା ଇସ୍ପାତ କାରଖାନା ଲାଗି ସେହି ଜେଟୀକୁ ବ୍ୟବହାର କରିବ। ପୁରୀର ଅସ୍ତରଙ୍ଗଠାରେ ଏକ ବନ୍ଦର ନିର୍ମାଣ କରିବା ଲାଗି ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍ ସହ ଚୁକ୍ତି ହୋଇଥିବା ବେଳେ ଜମି ଅଧିଗ୍ରହଣ ଜାରି ରହିଛି। କେନ୍ଦ୍ରାପଡ଼ାରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି।
ଭଦ୍ରକରେ ଜାହାଜ ନିର୍ମାଣ ଓ ରିସାଇକ୍ଲିଂ କାରଖାନା ସ୍ଥାପନ କରିବା ଲାଗି ନେପ୍ଚୁନ୍ ସିପ୍ ବିଲ୍ଡର୍ସ ଆଣ୍ଡ୍ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ସିଙ୍ଗ୍ଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ ହାସଲ କରିଛି। କମ୍ପାନି ୯୩୪.୫୪ କୋଟି ଟଙ୍କା ନିବେଶରେ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ପାଖାପାଖି ଏକ ନୂଆ ବନ୍ଦର ବିକାଶ କରିବା ଉପରେ ସରକାର ବିଚାର କରୁଛନ୍ତି।