ଚୀନଠୁ ଟିକ୍ଟକ୍ କିଣିବେ ମସ୍କ
ଭାରତରେ ନିଷିଦ୍ଧ ଥିବା ଚୀନ୍ର ଲୋକପ୍ରିୟ ଆପ୍ ଟିକ୍ଟକ୍ ଏହାର ଆମେରିକା ବ୍ୟବସାୟକୁ ଟେସ୍ଲା ମୁଖ୍ୟ ଏଲନ୍ ମସ୍କଙ୍କୁ ବିକ୍ରି କରିବା ଉପରେ ବିଚାର କରୁଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହୋଇଥିବାରୁ ଆପ୍କୁ ନିଷିଦ୍ଧ କରାଯିବାର ପ୍ରବଳ ସମ୍ଭାବନା ରହିଛି। ସେଭଳି କୌଣସି ପ୍ରକାର ଅଭାବନୀୟ ସ୍ଥିତିକୁ ଏଡ଼ାଇବା ଲାଗି ଟିକ୍ଟକ୍ର ଆମେରିକା କାରବାରକୁ ଟ୍ରମ୍ପ୍ଙ୍କ ଅତ୍ୟନ୍ତ ଘନିଷ୍ଠ ମସ୍କଙ୍କୁ ବିକ୍ରି କରିବା ପାଇଁ ଚୀନ୍ର ଅଧିକାରୀମାନେ କଥାବାର୍ତ୍ତା ଆରମ୍ଭ କରିଥିବା କୁହାଯାଉଛି। ତେବେ ଏହି ଖବରକୁ ଟିକ୍ଟକ୍ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯିବା ସହ ଏହା ସମ୍ପୂର୍ଣ୍ଣ ରୂପେ ମନଗଢ଼ା କାହାଣୀ ବୋଲି କୁହାଯାଇଛି।
ମସ୍କଙ୍କ ପାଖରେ ବିଶ୍ବର ଅନ୍ୟତମ ବୃହତ୍ ସୋସିଆଲ ମିଡିଆ ‘ଏକ୍ସ’ (ପୂର୍ବରୁ ଟ୍ବିଟର୍) ରହିଛି। ଟିକ୍ଟକ୍କୁ କିଣିବା ପରେ ଏହି କ୍ଷେତ୍ରରେ ମସ୍କଙ୍କ ପତିଆରା ଆହୁରି ବଢ଼ିବ। ଆମେରିକାରେ ଟିକ୍ଟକ୍କୁ ୧୭ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ପୂର୍ବରୁ ଆମେରିକା ଟିକ୍ଟକ୍କୁ ଏକ ସମୟ ସୀମା ପ୍ରଦାନ କରିଛି। ଚଳିତ ବର୍ଷ ଜାନୁଆରି ୧୯ ସୁଦ୍ଧା ନିଜର ସମସ୍ତ ଅଂଶଧନକୁ ବିକ୍ରି କରିବା କିମ୍ବା ନିଷେଧାଦେଶର ସାମ୍ନା କରିବା ଭଳି ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ଏହି ସମୟ ସୀମା ଶୀଘ୍ର ଶେଷ ହେବାକୁ ଯାଉଥିବା ବେଳେ କମ୍ପାନି ଆମେରିକା ସୁପ୍ରିମ୍କୋର୍ଟରେ ଆବେଦନ କରି ସମ୍ଭାବ୍ୟ ନିଷେଧାଦେଶ ରୋକିବାକୁ ଉଦ୍ୟମ କରିଛି। ତେବେ କମ୍ପାନି ଉପସ୍ଥାପନ କରିଥିବା ଯୁକ୍ତି କୋର୍ଟଙ୍କୁ ବିଶେଷ ପ୍ରଭାବିତ କରିପାରିନାହିଁ।
୨୦୨୦ରେ ଲଦାଖର ଗଲ୍ୱାନ ଘାଟିରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ହେବା ପରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତ ପକ୍ଷରୁ ଟିକ୍ଟକ୍ ସମେତ ଚୀନ୍ର ବହୁ ଲୋକପ୍ରିୟ ଆପ୍କୁ ନିଷିଦ୍ଧ କରାଯାଇଥିଲା। ସେହି ସମୟରେ ଦେଶରେ ତାହା ଅତ୍ୟନ୍ତ ଲୋକପ୍ରିୟ ଥିଲା। ପରବର୍ତ୍ତୀ ସମୟରେ ରେଳ, ଟେଲିକମ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପରୁ ଚୀନ୍ ସଂସ୍ଥାଗୁଡ଼ିକୁ ହଟାଇ ଦିଆଯାଇଥିଲା। ଚୀନ୍ରୁ ଆସୁଥିବା ନିବେଶ ଉପରେ ଲଗାମ କଷିବା ଲାଗି ସେଗୁଡ଼ିକୁ ପ୍ରଥମେ ସରକାରୀ ଅନୁମତି ଆବଶ୍ୟକ ବୋଲି ନିୟମ ଲାଗୁ କରାଯାଇଥିଲା।