ଜେଏସ୍‌ଡବ୍ଲୁ-ପୋସ୍କୋ ଇସ୍ପାତ ପ୍ରକଳ୍ପ: ୬୫ ହଜାର କୋଟି ନିବେଶ ହେବ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଏକ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଦୁଇ କମ୍ପାନି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କା ନିବେଶ କରାଯିବ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରଥମେ ୫ ନିୟୁତ ଟନ୍ ରହିବ।

ମିଳିଥିବା ସୂଚନ‌ା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ। ତିନି ବର୍ଷ ମଧ୍ୟରେ ମୋଟ ନିବେଶ ରାଶି ପରିମାଣ ୬୫ ହଜାର କୋଟି ଟଙ୍କାରେ ପହଞ୍ଚିବ। କମ୍ପାନି ପର୍ଯ୍ୟାୟକ୍ରମେ ଏହି କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୮ ନିୟୁତ ଟନ୍‌କୁ ବୃଦ୍ଧି କରିବ। ଜେଏସ୍‌ଡବ୍ଲୁ-ପୋସ୍କୋର କେନ୍ଦୁଝର ଇସ୍ପାତ ପ୍ରକଳ୍ପରେ ହଟ୍‌-ରୋଲ୍‌ଡ, କୋଲ୍‌ଡ-ରୋଲ୍‌ଡ ଓ ଗାଲ୍‌ଭାନାଇଜଡ୍‌ ଇସ୍ପାତ ଉତ୍ପାଦନ କରାଯିବ। ସେଗୁଡ଼ିକ ବିଭିନ୍ନ ପ୍ରକାର ଭିତ୍ତିଭୂମି ଓ ବିନିର୍ମାଣ କାର୍ଯ୍ୟରେ ବିପୁଳ ଭାବେ ବ୍ୟବହାର ହେଉଛି। ଯେହେତୁ ଆଗାମୀ ଦିନରେ ଭାରତରେ ବହୁ ସଂଖ୍ୟାରେ ବିମାନବନ୍ଦର, ସଡ଼କ, ନୂତନ କାରଖାନା ଓ ଗୋଦାମ ଘର ସ୍ଥାପନ ହେବାକୁ ଯାଉଛି, ସେଥିପାଇଁ ଇସ୍ପାତର ଯେଉଁ ଚାହିଦା ଦେଖାଦେବ ସେଥିରୁ କମ୍ପାନି ଉପକୃତ ହେବାକୁ ଲକ୍ଷ୍ୟ ରଖିଛି।