ଇରାନ ହର୍ମୁଜ୍ ଜଳପଥ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଠାରୁ ଟୋଲ୍ ଟିକସ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ,ଇରାନ ଏହାର ରାଜସ୍ୱ ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁସାରେ,ଇରାନ ହର୍ମୁଜ୍ ଜଳପଥ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଠାରୁ ଟୋଲ୍ ଟିକସ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।
ଏହି ସମୁଦ୍ର ପଥ ଦେଇ ବିଶ୍ୱର ପ୍ରାୟ ୨୦%ତୈଳ ଏବଂ ଏଲଏନଡି ଯାତାୟାତ କରେ। ତେଣୁ ଯଦି ଇରାନ ଏହି ସବୁ ଜାହାଜଗୁଡ଼ିକ ଉପରେ ଟୋଲ ଲଗାଇଲା ତେବେ ଏହା ଦେଶର ଅର୍ଥନୀତିକୁ ନିଶ୍ଚିତ ମଜଭୁତ କରିବ। ହର୍ମୁଜ୍ ଜଳପଥ ଦେଇ ଟୋଲ୍ ସଂଗ୍ରହରୁ ଇରାନ ବାର୍ଷିକ କେତେ ରୋଜଗାର କରିପାରିବ, ଆସନ୍ତୁ ବିସ୍ତାରରେ ବୁଝିବା।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇରାନ ପ୍ରତି ବ୍ୟାରେଲ ତେଲ ପାଇଁ ପ୍ରାୟ ୧ ଡଲାର ଟ୍ରାନଜିଟ୍ ଫି ଲାଗୁ କରିପାରେ। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ,ତେବେ ଏହା ବାର୍ଷିକ ୭୦ରୁ ୮୦ ବିଲିୟନ କିମ୍ବା ପ୍ରାୟ ୬.୪୩ଲକ୍ଷ କୋଟି ଟଙ୍କାରୁ ୭.୪ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ କରିପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଏହା ଇରାନର ପାରମ୍ପରିକ ତୈଳ ରପ୍ତାନି ଆୟକୁ ଠାରୁ ବି ଅଧିକ ହୋଇପାରେ।

ତୈଳ ରପ୍ତାନୀରେ ଇରାନର ଆୟ
ଇରାନର ତୈଳ ଆମଦାନୀ ଉପରେ ନଜର ପକାଇଲେ, ଇରାନ ୨୦୨୩ ମସିହାରେ ତୈଳ ରପ୍ତାନିରୁ ପ୍ରାୟ ୪୧.୧ ବିଲିୟନ ଡଲାର ଏବଂ ୨୦୨୪ରେ ୪୬.୭ ବିଲିୟନ ଡଲାର ଆୟ କରିଥିଲା। ଏହାର ଦୈନିକ ତୈଳ ଆୟ ମଧ୍ୟ ୨୦୨୬ ମସିହାରେ ବୃଦ୍ଧି ପାଇ ପ୍ରାୟ ୧୩୯ ମିଲିଅନ ଡଲାରରେ ପହଞ୍ଚିଛି।ବର୍ତ୍ତମାନ, ଇରାନ ପ୍ରତିଦିନ ପ୍ରାୟ ୧.୬ ମିଲିଅନ ବ୍ୟାରେଲ ତେଲ ରପ୍ତାନି କରୁଛି। ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଅସ୍ୱାଭାବିକ ରହିଛି। ଆମେରିକା ଏବଂ ଇସ୍ରାଏଲ ସହ ହୋଇଥିବା ଯୁଦ୍ଧ ଯୋଗୁ ଇରାନ ଏହି ଜଳପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲା। ଏଥିରେ ବିଶ୍ୱ ତୈଳ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ ହେବାରୁ ତୈଳ ମୂଲ୍ୟ ବୃଦ୍ଧି ହୋଇଥିଲା।

ଏହାପରେ ଇରାନ-ଆମେରିକା ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରାମ ଘୋଷଣା ପରେ ସ୍ଥିତି ସାମାନ୍ୟ ସ୍ଥିତି ସୁଧୁଥିଲା। ହେଲେ ଲେବାନନ ଉପରେ ଆକ୍ରମଣ ଜାରି ରହିଥିବାରୁ ପୁଣିଥରେ ଏହା ବନ୍ଦ କରାଯାଇଛି। ଇରାନ ସେନା କହିଛି ବିନା ପରାମର୍ଶରେ କୌଣସି ଜାହାଜ ହରମୁଜ ଦେଇ ଯାଇପାରିବ ନାହିଁ।

ଯୁଦ୍ଧ ଯୋଗୁ ପ୍ରଭାବିତ ପରିବହନ

ଇରାନ ଯୁଦ୍ଧ ଯୋଗୁ ହରମୁଜ ଜଳପଥରେ ହେଉଥିବା ପରିବହନରେ ବଡ଼ ଧରଣର ବାଧା ଉପୁଜିଛି। ୧୭୨ ମିଲିଅନ ବ୍ୟାରେଲ୍ ତେଲ ବୋଝେଇ କରିଥିବା ପ୍ରାୟ ୧୮୭ଟି ତୈଳ ଟ୍ୟାଙ୍କର୍ ଏହି ଜଳପଥରେ ହଠାତ୍ ଫସି ଯାଇଥିଲେ। ସେହିପରି ଗଲ୍ଫ ଅଞ୍ଚଳରେ ୧ ହଜାରରୁ ଅଧିକ ଜାହାଜ ଫସି ରହିଥିବା ଖବର ମିଳିଥିଲା। ପରିସ୍ଥିତିର ସମାଧାନ ପାଇଁ ଆହୁରି ଦୁଇ ସପ୍ତାହରୁ ଅଧିକ ସମୟ ଲାଗିପାରେ। ତେବେ ସମସ୍ତଙ୍କ ନଜର ଏବେ ଇରାନର ଟୋଲ୍ ଟ୍ୟାକ୍ସ ଉପରେ ରହିଛି। ଯଦି ଇରାନ ଟୋଲ୍ ଲାଗୁ କରେ ତେବେ ଏହା କେବଳ ତା’ର ଅର୍ଥନୀତି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ ନାହିଁ ବରଂ ବିଶ୍ୱ ତୈଳ ବଜାରର ଗତିପଥରେ ମଧ୍ୟ ପରିବର୍ତ୍ତନ କରିପାରେ।

Leave a comment