ରୁଷ୍‌ରୁ ତେଲ କିଣିବା ବନ୍ଦ କଲା ଭାରତ

ରୁଷ୍‌ରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ କିଣିବା ବନ୍ଦ କରିଛନ୍ତି। ଡିସେମ୍ବର ମାସରେ ଆସିବାକୁ ଥିବା ତେଲ ପାଇଁ ୫ଟି ଭାରତୀୟ କମ୍ପାନି ଆଦେଶନାମା ରୁଷ୍‌କୁ ଦେଇନାହାନ୍ତି ବୋଲି ଏହି ଶିଳ୍ପ ସହ ଜଡ଼ିତ ଅଧିକାରୀମାନେ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସାଧାରଣ ପରବର୍ତ୍ତୀ ମାସ ପାଇଁ କିଣାଯିବାକୁ ଥିବା ତେଲ ପାଇଁ ଚଳିତବର୍ଷ ୧୦ ତାରିଖ ମଧ୍ୟରେ ଆଦେଶନାମା ଦିଆଯାଇଥାଏ। ରୁଷ୍‌ଠାରୁ ତେଲ ନକିଣିବା ପାଇଁ ଦୀର୍ଘଦିନ ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାପ ପକାଇ ଆସୁଛନ୍ତି। ରୁଷ୍‌ଠାରୁ ଭାରତ ତେଲ କିଣୁଥିବାରୁ ଟ୍ରମ୍ପ ଜରିମାନା ଭା‌ବେ ୨୫ ପ୍ରତିଶତ ଅଧିକ ଶୁଳ୍କ ନୂଆଦିଲ୍ଲୀ ଉପରେ ଲଗାଇଛନ୍ତି। ଫଳରେ ଭାରତର ରପ୍ତାନିକାରୀମାନେ ଏବେ ଆମେରିକାରେ ୫୦ ପ୍ରତିଶତର ଚଢ଼ା ଶୁଳ୍କର ସମ୍ମୁଖୀନ ହେଉଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଏ ନେଇ କିଛି ଅଗ୍ରଗତି ହୋଇପାରିନାହିଁ।

ଏଭଳି ସ୍ଥିତିରେ ରୁଷ୍‌ଠାରୁ ଭାରତ ତେଲ କିଣିବା ବନ୍ଦ ଖବର ସାମ୍‌ନାକୁ ଆସିଛି। ଯେଉଁ ୫ଟି କମ୍ପାନି ରୁଷ୍‌ଠାରୁ ତେଲ କିଣିବା ପାଇଁ ଆଦେଶ ଦେଇନାହାନ୍ତି ସେମାନେ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌, ମାଙ୍ଗାଲୋର ରିଫାଇନାରି ଆଣ୍ଡ୍‌ ପେଟ୍ରୋକେମିକାଲ୍ସ ଲିମିଟେଡ୍‌ ଏବଂ ଏଚ୍‌ପିସିଏଲ୍‌-ମିତ୍ତଲ ଏନର୍ଜି ଲିମିଟେଡ୍‌। ରୁଷରୁ ଭାରତ ଆମଦାନି କରୁଥିବା ଅଶୋଧିତ ତେଲର ଦୁଇ ତୃତୀୟାଂଶ ଏହି ୫ କମ୍ପାନି କରିଥାନ୍ତି ବୋଲି କେପଲର୍‌ ତଥ୍ୟରୁ ଜଣାଯାଇଛି। କେବଳ ଭାରତୀୟ ତୈଳ ନିଗମ ଏବଂ ନାୟାରା ଏନର୍ଜି ଲିମିଟେଡ ରୁଷ୍‌ଠାରୁ କିଛି ପରିମାଣର ତେଲ କିଣିବା ପାଇଁ ଆଦେଶ ଦେଇଛନ୍ତି। ଆମେରିକା କଟକଣା ଲଗାଇ ନଥିବା କମ୍ପାନିଠାରୁ ଭାରତୀୟ ତୈଳ ନିଗମ ତେଲ କିଣିଛି। ନାୟାରା ରୁଷ୍‌ କମ୍ପାନି ରୋଜନେଫ୍ଟର ଏକ ଅଂଶ ହୋଇଥିବାରୁ ଏହି କମ୍ପାନି ରୁଷ୍‌ଠାରୁ ତେଲ କିଣିବା ପାଇଁ ନିର୍ଭର କରିଛି। ଚଳିତବର୍ଷ ରୁଷ୍‌ଠାରୁ ଭାରତ ଏହାର ମୋଟ ଅଶୋଧିତ ତେଲର ଆମଦାନୀର ୩୬ ପ୍ରତିଶତ ଆଣିଛି। ରୁଷ୍‌ରୁ ତେଲ ଆମଦାନୀ ବନ୍ଦ ହେବା ପରେ ଭାରତୀୟ କମ୍ପାନିଙ୍କୁ ଏହାର ପାରମ୍ପରିକ ବଜାର ଉପରେ ନିର୍ଭର କରିବାକୁ ପଡ଼ିବ।

Leave a comment