ଫୋନ ଭାରତରେ ଉତ୍ପାଦନ ହେଉଛି ବିଶ୍ବର ୧୫ ପ୍ରତିଶତ ମୋବାଇଲ
ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ବିଶ୍ବର ୧୫ ପ୍ରତିଶତ ମୋବାଇଲ ଫୋନ ଏବେ ଭାରତରେ ଉତ୍ପାଦନ ହେଉଛି। କରୋନା ମହାମାରୀ ସମୟରେ ଦେଶରେ ଆରମ୍ଭ ହୋଇଥିବା ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ ଏଥିରେ ବିଶେଷ ସହାୟକ ହୋଇଛି। ଏହି ସ୍କିମ୍ର କାର୍ଯ୍ୟକାଳ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଛି। ତେଣୁ ଏହି ସ୍କିମ୍କୁ ୨୦୩୧ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଫୋନ ନିର୍ମାତାମାନେ ଦାବି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସହିତ ଏ ନେଇ ଶିଳ୍ପ ପ୍ରତିନିଧିମାନେ ଆଲୋଚନା କରିଛନ୍ତି। ସ୍କିମ୍ର ଅବଧି ବଢ଼ିଲେ ବିଶ୍ବର ମୋଟ ମୋବାଇଲ ଫୋନ ଉତ୍ପାଦନରେ ଭାରତର ଅଂଶ ୩୦-୩୫ ପ୍ରତିଶତ ସ୍ତରକୁ ବଢ଼ିପାରିବ। ସେହି ସମୟ ସୁଦ୍ଧା ଭାରତର ମୋଟ ମୋବାଇଲ ଫୋନ ଉତ୍ପାଦନ ୧୧୦-୧୩୦ ବିଲିଅନ ଡଲାରକୁ ଏବଂ ରପ୍ତାନି ୫୫-୭୦ ବିଲିଅନ ଡଲାରକୁ ବୃଦ୍ଧି ଘଟିବ। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ବର ମୋଟ ମୋବାଇଲ ଫୋନ ଉତ୍ପାଦନରେ ଭାରତର ଅଂଶ ପ୍ରାୟ ୧୫ ପ୍ରତିଶତ ଏବଂ ମୂଲ୍ୟ ହିସାବରେ ବାର୍ଷିକ ଉତ୍ପାଦନ ୬୪ ବିଲିଅନ ଡଲାରରେ ରହିଛି।
ଭାରତୀୟ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ)ର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୁଙ୍କ କହିବାନୁଯାୟୀ, ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ମୋବାଇଲ ଫୋନ ଉତ୍ପାଦନ ବିଶ୍ବର ୩୦-୩୫ ପ୍ରତିଶତରେ ପହଞ୍ଚାଇବା ନେଇ ସୁଯୋଗ ରହିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ବର୍ତ୍ତମାନର ଉତ୍ପାଦନ ବୃଦ୍ଧି ହାରକୁ ବଜାୟ ରଖିବା ସହିତ ନିବେଶ ବଢ଼ାଇବାକୁ ହେବ। ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ଯାତ୍ରାକୁ ରୂପ ଦେବାଲାଗି ଆମେ ସରକାରଙ୍କ ସହିତ ସକ୍ରିୟ ଆଲୋଚନା ଚଳାଇଛୁ। ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ନୂଆ ପ୍ରୋତ୍ସାହନ ଯୋଜନା ଉପରେ ବର୍ତ୍ତମାନ ବିଚାର କରାଯାଉଛି, କିନ୍ତୁ ଏ ନେଇ କିଛି ଚୂଡ଼ାନ୍ତ ହୋଇନାହିଁ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତରେ ମୋବାଇଲ ଫୋନ ଉତ୍ପାଦନ ବୃଦ୍ଧି ମୁଖ୍ୟତଃ ରପ୍ତାନି ବୃଦ୍ଧି ଉପରେ ନିର୍ଭର କରିବ। କାରଣ ଦେଶ ଭିତରେ କେତେକ କାରଣରୁ ମୋବାଇଲ ଫୋନ ଚାହିଦା କମିବ।
ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୨୪ରେ ଭାରତର ମୋବାଇଲ ଫୋନ ରପ୍ତାନି ୨୦.୪୪ ବିଲିଅନ ଡଲାର ରହିଥିଲା। ୨୦୨୫ରେ ଏଥିରେ ୪୭.୪ ପ୍ରତିଶତ ବୃଦ୍ଧି ଦେଖାଦେଇ ୩୦.୧୩ ବିଲିଅନ ଡଲାରରେ ପହଞ୍ଚିଛି। ମୋଟ ରପ୍ତାନି ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ୧୯.୭ ବିଲିଅନ ଡଲାରର (ପ୍ରାୟ ୬୫ ପ୍ରତିଶତ) ରପ୍ତାନି ହୋଇଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଚୀନର ମୋବାଇଲ ଫୋନ ରପ୍ତାନି ୧୩୨.୬ ବିଲିଅନ ଡଲାରରୁ ୧୨୦.୬ ବିଲିଅନ ଡଲାରକୁ ହ୍ରାସ ପାଇଛି। ଫେଣ୍ଟାନିଲ ସମ୍ବନ୍ଧିତ ଶୁଳ୍କ ପାଇଁ ଆମେରିକାକୁ ଚୀନର ଫୋନ ରପ୍ତାନିରେ ବଡ଼ଧରଣର ହ୍ରାସ ଘଟିଛି। ତେବେ ଚୀନରେ ମୋବାଇଲ ଫୋନ ଉତ୍ପାଦନ ଯୋଗାଣଶୃଙ୍ଖଳ ଏବଂ ଅତ୍ୟାଧୁନିକ ଉତ୍ପାଦନ ସୁବିଧା ଭଲ ରହିଛି। ଭାରତ ଏସବୁ କ୍ଷେତ୍ରରେ ଏବେ ଆଗକୁ ବଢ଼ୁଛି।