ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ: ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି
ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର ପ୍ରଥମ ମହଲା ହଲ୍ ନମ୍ବର ୫ରେ ସ୍ୱତନ୍ତ୍ର ପାଭିଲିୟନ କରାଯାଇଛି । ଏଥିରେ ରାଜ୍ୟର ଏଆଇ ଭିତ୍ତିଭୂମି ଏବଂ ସମ୍ଭାବନାକୁ ନିବେଶକଙ୍କ ସାମ୍ନାରେ ପ୍ରଦର୍ଶିତ କରାଯାଇଛି । ଏଠାରେ ବିଶାଳ କୋଣାର୍କ ଚକ୍ର ସହ ଏଆଇ ଫାଷ୍ଟ ଓଡ଼ିଶାକୁ ପ୍ରାଥମିକତା ମିଳିଛି । ଯେଉଁଠାରେ ଚିପ୍ସ, କୋଡ୍ ଏବଂ ନୀତି ଏକତ୍ର ଭାବେ ଏକ ଉଜ୍ୱଳ ଏବଂ ପ୍ରଭାବୀ ଭବିଷ୍ୟତ ଗଠନ ଦିଗରେ ରାଜ୍ୟର ପ୍ରସ୍ତୁତିକୁ ବଖାଣୁଛି ।
ଏହି ସମ୍ମିଳନୀରେ ନିବେଶକଙ୍କ ସାମ୍ନାରେ ରାଜ୍ୟ ବିସ୍ତୃତ ଭାବେ ଏଆଇ ଏବଂ ଇଲେକଟ୍ରୋନିକ୍ସ ଇକୋସିଷ୍ଟମକୁ ପ୍ରଦର୍ଶନ କରିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ଏଆଇ ନୀତି ଆଣିବା ସହ ଏହି କ୍ଷେତ୍ରକୁ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛି । ରାଜ୍ୟ ଏବେ ସେମିକଣ୍ଡକ୍ଟର ନିବେଶ କ୍ଷେତ୍ରରେ ଏକ ପସନ୍ଦଯୋଗ୍ୟ ସ୍ଥଳ ଭାବେ ଉଭା ହୋଇଛି । ଓଡ଼ିଶାରେ ସ୍ଥାପନ ହେଉଛି ୪ ସେମିକଣ୍ଡକ୍ଟର ୟୁନିଟ । ଏଥିରେ ୬ ହଜାର କୋଟି ଟଙ୍କାର ନିବେଶ ହେଉଛି । ଏହା ମଧ୍ୟରେ ଇଣ୍ଡିଆନ ସେମିକଣ୍ଡକ୍ଟର ମିଶନ (ଆଇଏସ୍ଏମ୍) ଦ୍ୱାରା ଅନୁମୋଦିତ ୨ ୟୁନିଟ ସିକ୍ସେମ୍ ଏବଂ ୩ଡି ଗ୍ଲାସ ୟୁନିଟ ସାମିଲ ରହିଛି । ରାଜ୍ୟରେ ରହିଛି ୧୭ ଟେକ୍ ପାର୍କ । ୬ ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ରହିଥିବା ବେଳେ ଆଉ ୯ ଏସ୍ଟିପିଆଇ ଓଡ଼ିଶାରେ ସ୍ଥାପନ ହେବାକୁ ଯାଉଛି । ସେହିଭଳି ରାଜ୍ୟରେ ରହିଛି ୯ ଟେକ୍ ହବ୍ । ଇନ୍ଫୋଭ୍ୟାଲି ଏବଂ ଇନ୍ଫୋସିଟି ଭଳି ୨ଟି ଆଇଟି ପାର୍କ ଏବଂ ଗୋଟିଏ ଓ ହବ୍ ସେଣ୍ଟର ରାଜ୍ୟରେ ସ୍ଥାପନ କରାଯାଇଛି । ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମରେ ୩ ମେଡ୍ ଇନ୍ ଇଣ୍ଡିଆ ଚିପ୍ ରାଜ୍ୟ ବିକଶିତ କରିଛି । ଏନ୍ଆଇଟି ରାଉରକେଲା ଏବଂ ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଏ କ୍ଷେତ୍ରରେ ବେଶ ସଫଳତା ହାସଲ କରିଛନ୍ତି । ୨୦୨୯ ସୁଦ୍ଧା ରାଜ୍ୟ ଏହାର ୭୫% ଏବଂ ୨୦୩୬ ସୁଦ୍ଧା ୧୦୦% କର୍ମଚାରୀଙ୍କୁ ଏଆଇ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି । ଏଆଇ ଯୁଗରେ ଯୁବବର୍ଗଙ୍କ ଦକ୍ଷତା ତାଲିମକୁ ମିଳିଛି ପ୍ରାଥମିକତା । ୨୦୨୯ ବେଳକୁ ଏଆଇ ଏବଂ ସମ୍ଭାବ୍ୟ ଟେକ୍ନୋଲୋଜିରେ ୧୫% ଷ୍ଟେମ ଗ୍ରାଜୁଏଟ ଏବଂ ୨୦୩୬ ସୁଦ୍ଧା ଏହାକୁ ୫୫%କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଡିଜିଟାଲ କନେକ୍ଟିଭିଟି ଜରିଆରେ ଲୋକଙ୍କ ସଶକ୍ତିକରଣ, ବାଣିଜ୍ୟିକ ଦୃଢ଼ୀକରଣ ଏବଂ ସମାବେଶୀ ଅଭିବୃଦ୍ଧି ଦିଗରେ ରାଜ୍ୟ ଅଗ୍ରସର । ରାଜ୍ୟକୁ ଡାଟା ସେଣ୍ଟର ଏବଂ ଏଆଇ ହବ୍ ଭାବେ ବିକଶିତ କରିବା ଦିଗରେ କାର୍ଯ୍ୟକ୍ରମ ଦୃଢ଼ୀକରଣ ହେଉଛି । ୨୦୨୯ ସୁଦ୍ଧା ଡାଟା ସେଣ୍ଟର କ୍ଷମତା ୧୦ ମେଗାୱାଟ ଏବଂ ୨୦୩୬ ସୁଦ୍ଧା ଏହାକୁ ୩୬ ମେଗାୱାଟକୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଆଇଆଇଟି ଭୁବନେଶ୍ୱର ସେମିକଣ୍ଡକ୍ଟର ହବ୍ ଭାବେ ବିକଶିତ ହେଉଥିବା କହିଛନ୍ତି ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ସେହିଭଳି ରାଜ୍ୟ ଖଣିଜ ସମ୍ପଦ ଭିତ୍ତିକ ଅର୍ଥନୀତି ଠାରୁ ଆଉ ପାଦେ ଆଗକୁ ଯାଇ ଅତ୍ୟାଧୁନିକ ମାଇଣ୍ଡ୍ ଇକୋନୋମିରେ ରୁପାନ୍ତରିତ ହେଉଥିବା ଆଇଟି ସଚିବ ବିଶାଳ ଦେବ କହିଛନ୍ତି । ରାଜ୍ୟରେ ସ୍ଥାପିତ ହେବାକୁ ଥିବା ୨୫ ହଜାର ଜିପିୟୁ କ୍ଷମତା ବିଶିଷ୍ଟ ଏଆଇ ପାର୍କ ୫ ହଜାର ନିଯୁକ୍ତି ସୁଯୋଗ ଯୋଡିବ । ଏ ନେଇ ନିକଟରେ ରାଜ୍ୟ ସରକାର ଏଆଇ କମ୍ପାନି ସର୍ବମ ସହ ଚୁକ୍ତିରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ଏଆଇ ମିଶନ ସ୍ଥାପନ କରିଛନ୍ତି । ଏ ଦିଗରେ ନାସକମ ଏବଂ ୱାଧୱାନି ଫାଉଣ୍ଡେସନ ସହ ଚୁକ୍ତିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରରେ ସ୍ଥାପନ ହୋଇଛି ଏଆଇ ଉତ୍କର୍ଷ କେନ୍ଦ୍ର । ଏଆଇ ଗବେଷଣାକୁ ତ୍ୱରାନ୍ୱିତ କରିବା ଲାଗି ଆଇଆଇଟି ଭୁବନେଶ୍ୱର ସହ ହୋଇଛି ଏମ୍ଓୟୁ । ଓଡ଼ିଆ ଭାଷାରେ ଏଆଇ ଲାଗି ଭାଷିନି ସହ ମଧ୍ୟ ହୋଇଛି ଏମ୍ଓୟୁ ।