ଆୟକର ନିୟମ,୨୦୨୬”ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କଲା ଆୟକର ବିଭାଗ
ଶନିବାର ଦିନ ଆୟକର ବିଭାଗ “ଆୟକର ନିୟମ,୨୦୨୬“ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କରିଛି। ଏହି ନୂଆ ନିୟମଗୁଡ଼ିକ ଆଗାମୀ ଆର୍ଥିକ ବର୍ଷ,୧ ଏପ୍ରିଲ,୨୦୨୬ରୁ କାର୍ଯ୍ୟକାରୀ ହେବ। ସରକାର ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଏବଂ ସାଧାରଣ କରଦାତାଙ୍କ ପାଇଁ ନିୟମଗୁଡ଼ିକୁ ସହଜ କରିବାକୁ ଲକ୍ଷ୍ୟରେ ଏହି ନୂଆ ନିୟମ ଲାଗୁ କରିବେ।
ନୂଆ ପ୍ରସ୍ତାବିତ ଡ୍ରାଫ୍ଟ ନିୟମ ଏବଂ ଫର୍ମ ସଂଖ୍ୟାରେ ମଧ୍ୟ ହ୍ରାସ କରାଯାଇଛି। ଏପର୍ଯ୍ୟନ୍ତ ଲାଗୁଥିବା ଆୟକର ନିୟମ ୧୯୬୨ରେ ମୋଟ ୫୧୧ ନିୟମ ଏବଂ ୩୯୯ ଫର୍ମ ଥିଲା। ନୂଆ ଡ୍ରାଫ୍ଟରେ ଏହାକୁ ମାତ୍ର ୩୩୩ ନିୟମ ଏବଂ ୧୯୦ ଫର୍ମକୁ ହ୍ରାସ କରାଯାଇଛି। ଯେଉଁ ପ୍ରାବଧାନଗୁଡ଼ିକ ଆବଶ୍ୟକ ନଥିଲା ଆୟକର ବିଭାଗ ସେଗୁଡ଼ିକୁ ହଟାଇ ଦେଇଛି। ତା’ ସହିତ ପ୍ରାୟ ଏକାପରି କାର୍ଯ୍ୟ କରୁଥିବା ଏକାଧିକ ନିୟମକୁ ଯୋଡ଼ି ଦିଆଯାଇଛି। ଏହା ଟିକସ ବ୍ୟବସ୍ଥାର ଜଟିଳତାକୁ ହ୍ରାସ କରିବ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ ଆୟକର ନିୟମ ଏବଂ ଫର୍ମଗୁଡ଼ିକୁ ସରଳ କରାଯିବ, ଯାହା ଦ୍ୱାରା ସାଧାରଣ ନାଗରିକମାନେ ବିନା ଅସୁବିଧାରେ ଏହାର ନିୟମ ପାଳନ କରିପାରିବେ। ନୂଆ ଡ୍ରାଫ୍ଟ ଫର୍ମଗୁଡ଼ିକୁ ପୁନଃ ଡିଜାଇନ୍ କରାଯାଇଛି। ବିଶେଷଜ୍ଞମାନଙ୍କ କହିବା କଥା ହେଲା ପ୍ରଶାସନିକ ଏବଂ ଆଇନଗତ ଜଟିଳତାକୁ ହ୍ରାସ କରିବା ପାଇଁ ଫର୍ମର ଭାଷାକୁ ଅଧିକ ବ୍ୟବହାର-ଅନୁକୂଳ କରାଯାଇଛି। ତା’ସହିତ ଥିବା ନିର୍ଦ୍ଦେଶାବଳୀକୁ ମଧ୍ୟ ସରଳ କରାଯାଇଛି।କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT)ଏହି ଡ୍ରାଫ୍ଟକୁ ସାର୍ବଜନୀନ ଡୋମେନରେ ରଖିଛି। ଜନସାଧାରଣ ଏବଂ ଷ୍ଟେକହୋଲ୍ଡରମାନେ ଏହି ପ୍ରସ୍ତାବଗୁଡ଼ିକ ଉପରେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୨୨ଫେବୃଆରୀ,୨୦୨୬ ପର୍ଯ୍ୟନ୍ତ ସେମାନଙ୍କର ପରାମର୍ଶ ଦାଖଲ କରିପାରିବେ। ଜନସାଧାରଣଙ୍କ ମତାମତ ଲୋଡ଼ିବା ଦ୍ୱାରା ଆଇନ ଅଧିକ ପ୍ରଭାବଶାଳୀ ଏବଂ ସମାବେଶୀ ହେବ ବୋଲି ସରକାରଙ୍କ ବିଶ୍ୱାସ। ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆୟକର ନିୟମ ଉପରେ ପରାମର୍ଶ ଆସିଲେ ସେହି ଆଧାରରେ ଚୂଡ଼ାନ୍ତ ନିୟମ ସୂଚିତ କରାଯିବ ବୋଲି ସରକାର କହିଛନ୍ତି।