ଯୁଦ୍ଧ ପାଇଁ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖା ଯାଉନାହିଁ । ୨୩ ଦିନରେ ବି ଇରାନ-ଇସ୍ରାଏଲ ଏବଂ ଆମେରିକା ଲଢେଇ ଜାରି ରହିଛି । ଏହି ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍ ଖାଲି ହୋଇପାରେ । ଯୁଦ୍ଧ ପାଇଁ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଭଡ଼ା ଉପରେ ଲାଗିଥିବା ଅସ୍ଥାୟୀ ସୀମାକୁ ହଟାଇବାକୁ ନିଷ୍ପତ୍ତି ନେଇଛି । ତେଲ ଦର ବୃଦ୍ଧି ପାଉଥିବା ଯୋଗୁଁ ୧ ଏପ୍ରିଲରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଏଟିଏଫ ମୂଲ୍ୟ ବୃଦ୍ଧି ଏବଂ ଟିକେଟରେ ଇନ୍ଧନ ସରଚାର୍ଜ ନେଇ ସଙ୍କେତ ଦେଇଛନ୍ତି ।
ବିମାନ ଇନ୍ଧନ (ATF) ଏକ ବିମାନ କମ୍ପାନୀର ପରିଚାଳନା ଖର୍ଚ୍ଚର ପ୍ରାୟ ୩୫ ରୁ ୪୫ ପ୍ରତିଶତ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୂରାଜନୈତିକ ଅସ୍ଥିରତା ଯୋଗୁଁ, ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି, ଯାହା ସିଧାସଳଖ ବିମାନ ଇନ୍ଧନ ମୂଲ୍ୟକୁ ପ୍ରଭାବିତ କରୁଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଯେ, ଏହା ଗୋଟିଏ ବିଭାଗର ବିଷୟ ନୁହେଁ, ବରଂ ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଏକାଠି କାମ କରିବାକୁ ପଡିବ । ହଠାତ୍ ଭଡ଼ା ବୃଦ୍ଧି ଟେନସନ୍ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ବର୍ଦ୍ଧିତ ଇନ୍ଧନ ମୂଲ୍ୟର ପ୍ରଭାବ ନିଶ୍ଚିତ ଭାବରେ ପଡ଼ିବ ।
ଏୟାରଲାଇନ୍ସ ପାଇଁ ଦୁଇଗୁଣା କ୍ଷତି- ଇନ୍ଧନ ମୂଲ୍ୟ ବ୍ୟତୀତ, ବିମାନ କମ୍ପାନୀଗୁଡ଼ିକ ଆଉ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ସୁରକ୍ଷା ଚିନ୍ତା ଯୋଗୁଁ କିଛି ଉଚ୍ଚ-ବିପଦପୂର୍ଣ୍ଣ ଆକାଶପଥକୁ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି, ଯାହା ଫଳରେ ବିମାନଗୁଡ଼ିକୁ ଲମ୍ବା ରୁଟ୍ ନେବାକୁ ବାଧ୍ୟ ହେଉଛନ୍ତି। ଲମ୍ବା ରୁଟ୍ ଅର୍ଥ ଅଧିକ ଇନ୍ଧନ ବ୍ୟବହାର ଏବଂ ପରିଚାଳନା ଖର୍ଚ୍ଚ ବଢୁଛି । ଏହି ପରିବର୍ତ୍ତିତ ପରିସ୍ଥିତି ବିମାନ କମ୍ପାନୀର ଲାଭ ହାର ଉପରେ ଯଥେଷ୍ଟ ଚାପ ପକାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଯେ, ସରକାର ସୁରକ୍ଷିତ ବିମାନ ଚଳାଚଳ ସୁନିଶ୍ଚିତ କରିବା ସହିତ ସୁଗମ ବିମାନ ପରିଚାଳନା ଏବଂ ଯାତ୍ରୀ ବୋଝକୁ କମ କରିବା ପାଇଁ ପ୍ରୟାସ କରୁଛନ୍ତି ।
ବର୍ଦ୍ଧିତ ମୂଲ୍ୟର ମୁକାବିଲା ପାଇଁ, ଦେଶର ପ୍ରମୁଖ ବିମାନ କମ୍ପାନୀଗୁଡ଼ିକ ପୂର୍ବରୁ ଇନ୍ଧନ ସରଚାର୍ଜ ଲାଗୁ କରି ସାରିଛନ୍ତି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଟିକେଟରେ ୩୯୯ ସରଚାର୍ଜ ଯୋଡିଛନ୍ତି, ଯେତେବେଳେ ଆନ୍ତର୍ଜାତୀୟ ରୁଟରେ, ସରଚାର୍ଜ ୮୩୦ରୁ ୧୬, ୬୦୦ ପର୍ଯ୍ୟନ୍ତ ହୋଇପାରେ । ସେହିପରି, ଇଣ୍ଡିଗୋ ଦୂରତା ଉପରେ ନିର୍ଭର କରି ୪୨୫ରୁ ୨,୩୦୦ ପର୍ଯ୍ୟନ୍ତ ସରଚାର୍ଜ ଲାଗୁ କରିଛି । ଆକାସା ଏୟାର ମଧ୍ୟ ପ୍ରତି ସେକ୍ଟର ପାଇଁ ୧୯୯ ରୁ ୧,୩୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିବା ଆରମ୍ଭ କରିଛି । ଯାତ୍ରୀମାନଙ୍କ ପାଇଁ ଟିକେଟ ମୂଲ୍ୟ ନିୟନ୍ତ୍ରଣ ବାହାରକୁ ନଯିବା ପାଇଁ ସରକାର ଏହି ପରିବର୍ତ୍ତନଗୁଡ଼ିକ ଉପରେ କଡ଼ା ନଜର ରଖିଛନ୍ତି ।