ଏଣିକି ଲଣ୍ଡନକୁ ଉଡ଼ିବ ଏଆଇ 159 ବିମାନ

ଗୁରୁବାର ଅହମଦାବାଦରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆର ବିମାନ ନମ୍ବର ଥିଲା ଏଆଇ ୧୭୧। ବୋଇଂ କମ୍ପାନି ପକ୍ଷରୁ ନିର୍ମିତ ଏହି ଡ୍ରିମଲାଇନର୍‌ ୭୮୭-୮ ବିମାନଟି ବି ଜେ ମେଡିକାଲ କଲେଜର ଏକ ହଷ୍ଟେଲରେ ପିଟି ହୋଇଥିଲା। ଏଥିରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେବା ଫଳରେ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ବିମାନ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୟଙ୍କର ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସଗୁଡ଼ିକ ସମ୍ପୃକ୍ତ ବିମାନ ନମ୍ବର ବ୍ୟବହାରକୁ ବନ୍ଦ କରି‌ ଦେଇଥାନ୍ତି। ତେଣୁ ଏଆଇ ୧୭୧ ବିମାନ ନମ୍ବରକୁ ମଧ୍ୟ ହଟାଇ ଦିଆଯିବ। ଅହମଦାବାଦରୁ ଲଣ୍ଡନ ଗଟୱିକ୍‌କୁ ଆସନ୍ତା ୧୭ ତାରିଖରୁ ଉଡ଼ାଣ କରିବାକୁ ଥିବା ବିମାନର ନମ୍ବର ଏଆଇ ୧୭୧ ପରିବର୍ତ୍ତେ ଏଆଇ ୧୫୯ ହେବ। ଏଥିପାଇଁ ବିମାନ ଟିକେଟ ବୁକିଂରେ ଆବଶ୍ୟକ ପରିବର୍ତ୍ତନ ଶୁକ୍ରବାରଠାରୁ କରାଯାଇଛି।  ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏହାର ବିମାନ ନମ୍ବର ଆଇଏକ୍ସ ୧୭୧କୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି। ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ପ୍ରତି ସମ୍ମାନ ସ୍ବରୂପ ବିମାନ ନମ୍ବରକୁ ହଟାଇ ଦିଆଯାଏ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣା କୋଝିକୋଡରେ ହୋଇଥିଲା। ଏଥିରେ ୨୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେହି ବିମାନ ନମ୍ବରକୁ ହଟାଇ ଦିଆଯାଇଥିଲା।

Leave a comment