ନୀଲ ଅମ୍ବାନୀଙ୍କ ୫୦ କମ୍ପାନିରେ ଚଢ଼ଉ କରିଛି ଇଡ଼ି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ୫୦ କମ୍ପାନିରେ ଚଢ଼ଉ କରାଯାଇଛି। ଏହି କମ୍ପାନିଗୁଡ଼ିକର ଦିଲ୍ଲୀ ଓ ମୁମ୍ବାଇରେ ଥିବା ୩୫ଟି ଠିକଣାରେ ଚଢ଼ଉ ହୋଇଥିଲା। ୨୫ରୁ ଅଧିକ ଲୋକଙ୍କୁ ପଚରାଉଚୁରା କରାଯାଇଥିଲା। ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ଏତଲା ଏବଂ ନ୍ୟାସନାଲ୍ ହାଉସିଂ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ନ୍ୟାସନାଲ୍ ଫାଇନାନ୍ସିଆଲ୍ ରିପୋର୍ଟିଂ ଅଥରିଟିରୁ ମିଳିଥିବା ସୂଚନା ଆଧାରରେ ଇଡି ଏହି ଚଢ଼ଉ କରିଥିଲା। ଅନୀଲ ହେଉଛନ୍ତି ଧୀରୁଭାଇ ଅମ୍ବାନୀଙ୍କ ସାନ ପୁଅ ଓ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନ ଭାଇ।
୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କଠାରୁ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ପ୍ରାୟ ୩୦୦୦ କୋଟି ଟଙ୍କାର ଋଣ ନେଇଥିଲା। ସେଥିରେ ହୋଇଥିବା ହେରଫେର ବିଷୟରେ ଖୋଳତାଡ଼ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ କମ୍ପାନି ନେଇଥିବା ଋଣକୁ ଅନ୍ୟ ଜାଲ୍ କମ୍ପାନିକୁ ପଠାଇ ଦେଇଥିଲା। ଋଣ ପାଇବା ଲାଗି ୟେସ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ଲାଞ୍ଚ ଦିଆଯାଇଥିବା କଥା ମଧ୍ୟ ଯାଞ୍ଚରୁ ସାମ୍ନାକୁ ଆସିଛି। ଇଡି ପକ୍ଷରୁ କୁହାଯାଇଛି ଯେ ଏକ ସୁଚିନ୍ତିତ ଯୋଜନା ଆଧାରରେ ବ୍ୟାଙ୍କ, ଅଂଶଧନକାରୀ, ନିବେଶକମାନଙ୍କୁ ଭୁଲ ତଥ୍ୟ ଦେଇ ଅର୍ଥ ହଡ଼ପ କରାଯାଇଥିଲା। ବିନା ଯାଞ୍ଚରେ କିଛି କମ୍ପାନିକୁ ଋଣ ଦିଆଯାଇଥିଲା। ଅନେକ କମ୍ପାନିରେ ନିର୍ଦ୍ଦେଶକଙ୍କ ନାମ ଓ ଠିକଣା ସମାନ ଥିଲା। ଋଣ ପାଇଁ ଆବଶ୍ୟକ କାଗଜପତ୍ର ନଥିଲା। ୟେସ୍ ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ଓ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍କୁ ଦିଆଯାଇଥିବା ଋଣ ମାମଲାରେ ସିବିଆଇ ପକ୍ଷରୁ ଦୁଇଟି ପୃଥକ ପୃଥକ ଏଫ୍ଆଇଆର୍ ରୁଜୁ କରାଯାଇଥିଲା।