କ୍ରେଡିଟ୍ କାର୍ଡ ଜରିଆରେ ଦୁବାଇରେ ସମ୍ପତ୍ତି କିଣିଥିବା ଭାରତୀୟଙ୍କୁ ନୋଟିସ୍ କରିଛି ଇଡି
କ୍ରେଡିଟ୍ କାର୍ଡ ଜରିଆରେ ଦୁବାଇରେ ସମ୍ପତ୍ତି କିଣିଥିବା କେତେକ ଭାରତୀୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ୍ କରିଛି। ଫେବ୍ରୁଆରି ମାସରେ ଅତିକମ୍ରେ ୩ ଜଣଙ୍କୁ ନୋଟିସ୍ ଦିଆଯାଇଛି। ଦୁବାଇରେ କ୍ରୟ କରାଯାଇଥିବା ସମ୍ପତ୍ତି ପାଇଁ ଟଙ୍କା କେଉଁ ସୂତ୍ରରୁ ଦିଆଯାଇଛି ତାହା ଇଡି ଜାଣିବାକୁ ଚାହିଛି। ଦୁବାଇ ଗସ୍ତ ସମୟରେ ଯେଉଁମାନେ ସମ୍ପତ୍ତି କିଣି ସେବାବଦର ପ୍ରାରମ୍ଭିକ ଅର୍ଥ ପ୍ରଦାନ କରିଛନ୍ତି ବା ୟୁଏଇର ସମ୍ପତ୍ତି ବିକ୍ରେତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପେମେଣ୍ଟ୍ ଲିଙ୍କ୍ରେ କ୍ଲିକ୍ କରି ଅର୍ଥ ପୈଠ କରିଛନ୍ତି ସେମାନେ ଇଡି ରାଡାରରେ ରହିଛନ୍ତି। କାରଣ ବିଦେଶୀ ସମ୍ପତ୍ତି କିଣିବା ପାଇଁ ଋଣ କରିବା ଲାଗି ଭାରତୀୟ ଆଇନରେ ଅନୁମତି ନାହିଁ।
କ୍ରେଡିଟ୍ କାର୍ଡରେ ଅର୍ଥ ପ୍ରଦାନ ସ୍ବଳ୍ପ ମିଆଦୀ ଋଣ ଭାବେ ବିବେଚନା କରାଯାଇଥାଏ। ରିଜର୍ଭ ବ୍ୟାଙ୍କର ଏଲ୍ଟିଏସ୍ (ଲିବରାଲାଇଜଡ୍ ରେମିଟାନ୍ସ ସ୍କିମ୍)ରେ ଜଣେ ବ୍ୟକ୍ତି ବିଦେଶରେ ଷ୍ଟକ୍ କିମ୍ବା ସମ୍ପତ୍ତି କିଣିପାରିବ। କିନ୍ତୁ ଏଥିପାଇଁ ଅଫିସିଆଲ ବ୍ୟାଙ୍କିଂ ଚାନେଲ୍ରେ ଟିକସ ବାବଦ ରାଶି ଦେବାପରେ ଏହା କରିପାରିବେ।
ଇଡି ନୋଟିସ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଏହି ତଦନ୍ତକାରୀ ସଂସ୍ଥାଠାରୁ କ୍ଷମା ଚାହିଛନ୍ତି। ସେମାନେ ଏହି କାରବାରକୁ ଠିକ୍ କରିବା ପାଇଁ ଜରିମାନା ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି। ତେବେ ବିଦେଶରେ ସମ୍ପତ୍ତି କିଣିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର ନିୟମ ସଂପର୍କରେ ଅବଗତ ନଥାଇ ଏହା କରିଥିବା ବ୍ୟକ୍ତିମାନଙ୍କୁ ନୋଟିସ୍ ଦିଆଯାଇଛି ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଫାର୍ମ ଜୟନ୍ତୀଲାଲ ଠକ୍କର ଆଣ୍ଡ୍ କମ୍ପାନିର ପାର୍ଟନର ରାଜେଶ ଶାହ କହିଛନ୍ତି। ସଂପୃକ୍ତ ବ୍ୟକ୍ତିମାନଙ୍କୁ ଏଥିପାଇଁ ରିଜର୍ଭ ବ୍ୟାଙ୍କକୁ ଆବେଦନ କରିବାକୁ ପଡ଼ିବ। ସେମାନଙ୍କ ଟଙ୍କା ଆଇନଗତ ହୋଇଥିବାବେଳେ ପେମେଣ୍ଟ୍ ମୋଡ୍ ଭୁଲ୍ ଥିବାରୁ ରିଜର୍ଭ ବ୍ୟାଙ୍କ ଏ ନେଇ କୋହଳ ମନୋଭାବ ପୋଷଣ କରିପାରେ। ଅଧିକାଂଶ ସମୟରେ ନିୟମ ନଜାଣି ଭାରତୀୟମାନେ ବିଦେଶରେ ସମ୍ପତ୍ତି କିଣି ଅସୁବିଧାରେ ପଡ଼ିଥାନ୍ତି ବୋଲି ଶ୍ରୀ ଶାହ କହିଛନ୍ତି।