୩ ଜଣଙ୍କୁ ମିଳିବ ଅର୍ଥନୀତିରେ ନୋବେଲ
ଜୋଏଲ୍ ମୋକିର୍, ଫିଲିପ୍ ଆଘିଅନ୍, ଏବଂ ପିଟର୍ ହାୱିଟଙ୍କୁ ଚଳିତ ବର୍ଷ ପଇଁ ‘ଅର୍ଥନୀତି ବିଜ୍ଞାନ’ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଆମେରିକାର ହୋଇଥିବାବେଳେ ଜଣେ ବ୍ରିଟେନର ।
ଏହି ତିନି ଅର୍ଥନୀତିଜ୍ଞ ଉଦ୍ଭାବନ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି ବୋଲି ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରିବା ଏହି ପୁରସ୍କାରର ପ୍ରତିଷ୍ଠାତା ସାର ଆଲଫ୍ରେଡ ନୋବେଲଙ୍କ ମୂଳ ଇଚ୍ଛାପତ୍ର ବା ଓ୍ବିଲରେ ନଥିଲା । ଏହି ପୁରସ୍କାର ପ୍ରଦାନ କରିବାକୁ ୧୯୬୮ ମସିହାରେ ସ୍ବୀଡେନର କେନ୍ଦ୍ରୀୟ ବ୍ୟାଙ୍କ (ସ୍ବେରିଜେସ ରିକସବ୍ୟାଙ୍କ) ପକ୍ଷରୁ ପ୍ରତଷ୍ଠା କରାଯାଇଥିଲା ଓ ପ୍ରଥମ ଥର ପାଇଁ ୧୯୬୯ରେ ପ୍ରଦାନ କରାଯାଇଥିଲା ।
ଏହାକୁ “ସ୍ବେରିଜେସ ରିକସବ୍ୟାଙ୍କ ପୁରସ୍କାର ଅର୍ଥନୀତି ବିଜ୍ଞାନରେ, ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ” ବୋଲି ଆଧିକାରିକ ଭାବେ କୁହାଯାଏ। ଏହି ପୁରସ୍କାର ପ୍ରତିବର୍ଷ ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯେମାନେ ଅର୍ଥନୀତି ବିଜ୍ଞାନର ମାନବଜୀବନରେ ପ୍ରୟୋଗ, ବିକାଶ ଓ ଅବଦାନରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ଏହା ଆଲଫ୍ରେଡ୍ ନୋବେଲଙ୍କ ମୂଳ ପୁରସ୍କାରଗୁଡିକ (ଯଥା ଶାନ୍ତି, ସାହିତ୍ୟ, ରସାୟନ, ଭୌତିକ ଓ ଜୀବବିଜ୍ଞାନ) ମଧ୍ୟରେ ନଥିଲେ ମଧ୍ୟ, ସେହି ସମାନ ଗୌରବ ଓ ପ୍ରତିଷ୍ଠା ରଖିଛି।