ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ , ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ
ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ। ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ। ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିବେ। ତେବେ ଦୁଇଟି ପର୍ୟ୍ୟାୟରେ ମୋଟ ୨୮ ଦିନର କାର୍ୟ୍ୟ ଦିବସ ରହିଛି। ମୋହନ ସରକାରଙ୍କ ଏହି ଦ୍ବିତୀୟ ବଜେଟରେ ବିରୋଧୀ ବାରବାଟି ଲାଇଟ ବନ୍ଦ ପ୍ରସଙ୍ଗ ଉଠାଇପାରନ୍ତି। ଏଥର ବଜେଟରେ ସରକାର କ’ଣ ନୂଆ ଘୋଷଣା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ବଜେଟ ଅଧିବେସନ ପାଇଁ ଗତକାଲି ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ କନନ ବର୍ଦ୍ଧନ ସିଂଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ। ଗୃହ କାର୍ୟ୍ୟରେ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଚସ୍ପତି।