ରାଜ୍ୟରେ କୁମଛି ଏଟିଏମ

ଡିଜିଟାଲ ବ୍ୟାଙ୍କିଂର ପ୍ରସାର ହୋଇଥିଲେ ମଧ୍ୟ ବ୍ୟାଙ୍କ ଶଖା, ଏଟିଏମ୍‌, ବ୍ୟାଙ୍କିଂ କରେସ୍‌ପ‌େଣ୍ଡଣ୍ଟ୍‌ (ବିସି) ଆଦି ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବାର ଆବଶ୍ୟକତା ରହିଛି। ଲୋକମାନେ ଯେଭଳି ସେମାନଙ୍କ ଘର ନିକଟରେ ବ୍ୟାଙ୍କିଂ ସେବା ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏଭଳି ସ୍ଥିତିରେ ରାଜ୍ୟରେ ବ୍ୟାଙ୍କିଂ ନେଟ୍‌ୱର୍କ ହ୍ରାସ ପାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ରିପୋର୍ଟରୁ ଜଣାଯାଇଛି ଯେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୬୦୫୪ଟି ବ୍ୟାଙ୍କ ଶାଖା ରହିଛି। ୨୦୨୪ ସେପ୍ଟେମ୍ବର ତୁଳନାରେ ବ୍ୟାଙ୍କ ଶାଖା ସଂଖ୍ୟାରେ ୩୯ଟି ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବ୍ୟାଙ୍କିଂ କରେସ୍‌ପ‌େଣ୍ଡଣ୍ଟ୍‌ (ବିସି) ଏବଂ ଏଟିଏମ୍‌ ସଂଖ୍ୟା ହ୍ରାସ ପାଇଛି। ୨୦୨୪ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ବିସି ସଂଖ୍ୟା ୪୫,୫୬୫ ରହିଥିଲା। କିନ୍ତୁ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୪୨୦୩୫କୁ ହ୍ରାସ ପାଇଛି। ଅର୍ଥାତ୍‌ ୩ ମାସରେ ବିସି ସଂଖ୍ୟା ୩୫୩୦ କମିଯାଇଛି। ସେହିଭଳି ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ରାଜ୍ୟରେ ଏଟିଏମ୍‌ ସଂଖ୍ୟା ୭୫୬୭ ରହିଛି। ୨୦୨୪ ସେପ୍ଟେମ୍ବର ବେଳକୁ ଏହି ସଂଖ୍ୟା ୭୬୧୧ ରହିଥିଲା। ତେଣୁ ଗୋଟିଏ ତ୍ରୟମାସରେ ଏଟିଏମ୍‌ ସଂଖ୍ୟା ୪୪ଟି କମିଯାଇଛି। ଆକ୍ସିସ ବ୍ୟାଙ୍କ, ସିଟି ୟୁନିୟନ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଦିର ଏଟିଏମ୍‌ ସଂଖ୍ୟା କମିଯିବା ଦ୍ବାରା ମୋଟ୍‌ ଏଟିଏମ୍‌ ସଂଖ୍ୟା ହ୍ରାସ ପାଇଛି। ତଥ୍ୟରୁ ଜଣାଯାଇଛି ଯେ ୨୦୨୪ ଅକ୍ଟୋବର-ଡିସେମ୍ବର ଅବଧିରେ ଆକ୍ସିସ୍‌ ବ୍ୟାଙ୍କର ଏଟିଏମ୍‌ ସଂଖ୍ୟା ୨୯ଟି କମିଯାଇଛି। ସେହିଭଳି ସିଟି ୟୁନିୟନ ବ୍ୟାଙ୍କର ୧୩ଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୮ଟି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ୬ଟି ଏଟିଏମ୍‌ କମିଛି।