ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍
ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ଇସ୍ତଫା ଦେଇଛନ୍ତି। ଅହମଦାବାଦର ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ତାଙ୍କ ଉପରେ ଚାପ ଥିଲା। ଏହା ବ୍ୟତୀତ ନିୟମ ପାଳନରେ ତ୍ରୁଟି ପାଇଁ ବାରମ୍ବାର କମ୍ପାନି ଉପରେ ଜରିମାନା ଲାଗୁଥିଲା।
୨୦୨୨ରେ ପାଞ୍ଚ ବର୍ଷ ପାଇଁ ତାଙ୍କୁ ସିଇଓ ଭାବେ ନିଯୁକ୍ତି ମିଳିଥିଲା। ସମୟ ସୀମା ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ୨୦୨୬ରେ ଇସ୍ତଫା ଦେବାକୁ ଚାହୁଥିବା ନେଇ ସେ ୨୦୨୪ରେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନଙ୍କୁ ଜଣାଇଥିଲେ। ଟାଟା ଗ୍ରୁପ୍ ସ୍ପଷ୍ଟ କରିଛି ଯେ ତାଙ୍କ ଉତ୍ତରାଧିକାରୀ ସନ୍ଧାନ କରାଯିବା ପର୍ଯ୍ୟନ୍ତ ସେ ସିଇଓ ଭୂମିକା ତୁଲାଇବେ।
୨୦୨୨ରେ ୧୮ ହଜାର କୋଟି ଟଙ୍କାରେ ଭାରତ ସରକାରଙ୍କଠାରୁ ଏୟାର ଇଣ୍ଡିଆକୁ କିଣିବା ପରେ ତାହାର ପୁନରୁଦ୍ଧାର କରିବାକୁ ଟାଟା ଗ୍ରୁପ୍ ମହତ୍ବକାଂକ୍ଷୀ ଯୋଜନା ରଖିଥିଲା। କମ୍ପାନିରେ ସୁଧାର ହେବା ପରିବର୍ତ୍ତେ ଭୁଲ କାରଣ ପାଇଁ ତାହା ଲଗାତାର ଭାବେ ଚର୍ଚ୍ଚାରେ ରହିଲା। ଅପରେସନ ସିନ୍ଦୂର ପରେ ପାକିସ୍ତାନ ତାହାର ଆକାଶ ପଥକୁ ବନ୍ଦ କରିବା ପରେ ପରିଚାଳନା ଖର୍ଚ୍ଚ ବହୁତ ବଢ଼ିଥିଲା। କାରଣ ଅନ୍ତର୍ଜାତୀୟ ବିମାନଗୁଡ଼ିକୁ ଲମ୍ବା ଦୂର ଯାତ୍ରା କରିବାକୁ ପଡ଼ିଥିଲା।ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ସ୍ଥିତି ଆହୁରି ଖରାପ ହୋଇଯାଇଛି। ବିମାନ ଇନ୍ଧନ ମୂଲ୍ୟ ଓ ପରିଚାଳନା ଖର୍ଚ୍ଚ ଅହେତୁକ ବଢ଼ିଥିବାରୁ ବ୍ୟବସାୟ ଜାରି ରଖିବା କମ୍ପାନିଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ିଛି। ୨୦୨୫-୨୬ରେ ଏୟାର ଇଣ୍ଡିଆ ୨୯ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି ଆକଳନ କରାଯାଇଛି। କେବଳ ଏୟାର ଇଣ୍ଡିଆ ନୁହେଁ, ଭାରତୀୟ ବିମାନ ଚଳାଚଳ ଶିଳ୍ପ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ କିଛି ଦିନ ପୂର୍ବେ ଦେଶର ଏକ ନମ୍ବର ଏୟାରଲାଇନ୍ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ଇସ୍ତଫା ଦେଇଥିଲେ। ସବୁଠୁ ଚିନ୍ତାର ବିଷୟ ହେଉଛି ଉଭୟ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଅଧୀନରେ ବିମାନ ଚଳାଚଳ ଶିଳ୍ପର ସିଂହ ଭାଗ ଆଧିପତ୍ୟ ରହିଛି। ଏହି ଦୁଇ କମ୍ପାନିର ସିଇଓ ଯେଉଁଭଳି ଢଙ୍ଗରେ ଇସ୍ତଫା ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଶିଳ୍ପର ଖରାପ ସ୍ଥିତିକୁ ଦର୍ଶାଉଛି।