ଗହମ ଷ୍ଟକ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଗହମ ଷ୍ଟକ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହା ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ନୂଆ ସୀମା ଅନୁସାରେ ବେପାରୀ ଓ ପାଇକାରୀ ବ୍ୟବସାୟୀମାନେ ନିଜ ପାଖରେ ୩୦୦୦ ଟନ୍‌ରୁ ଅଧିକ ଗହମ ରଖିପାରିବେ ନାହିଁ। ଖୁଚୁରା ବ୍ୟବସାୟୀମାନଙ୍କ ପାଖରେ ଅତିବେଶିରେ ସେମାନଙ୍କ ପ୍ରତି ଖୁଚୁରା ଷ୍ଟୋର୍‌ରେ ୧୦ ଟନ୍ ଗହମ ରହିପାରିବ। ବୃହତ୍‌ ରିଟେଲ୍‌ ଶୃଙ୍ଖଳାଗୁଡ଼ିକ ସେମାନଙ୍କ ପ୍ରତି ଆଉଟ୍‌ଲେଟ୍‌ରେ ସର୍ବାଧିକ ୧୦ ଟନ୍ ଗହମ ରଖିପାରିବେ। ଖାଦ୍ୟ ପ୍ରକ୍ରିୟାକରଣ କରୁଥିବା ସଂସ୍ଥାଗୁଡ଼ିକ ମାସିକ କ୍ଷମତାର ୭୦ ପ୍ରତିଶତ ଗହମ ରଖିପାରିବେ।

ଗହମକୁ ନେଇ କାରବାର କରୁଥିବା ସବୁ ସଂସ୍ଥାକୁ ସରକାରୀ ୱେବସାଇଟ୍‌ରେ ପ୍ରତି ଶୁକ୍ରବାର ସେମାନଙ୍କ ପାଖରେ ମହଜୁଦ ଥିବା ଗହମ ସମ୍ପର୍କରେ ସୂଚନା ଦେବାକୁ ହେବ। ଯଦି କୌଣସି ସଂସ୍ଥା ସେହି ପୋର୍ଟାଲ୍‌ରେ ପଞ୍ଜୀକରଣ କରି ନଥିବେ କିମ୍ବା ଷ୍ଟକ୍ ସୀମାକୁ ନେଇ ରହିଥିବା ନିୟମ ଉଲ୍ଲଂଘନ କରୁଥିବା ଧରାପଡ଼ିବେ, ତେବେ ସେମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୯୫ର ଧାରା ୬ ଓ ୭ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନଙ୍କ ପାଖରେ ବର୍ତ୍ତମାନ ନିର୍ଧାରିତ ସୀମାଠାରୁ ଅଧିକ ଗହମ ରହିଛି, ସେମାନଙ୍କୁ ୧୫ ଦିନ ଭିତରେ ତାହା କମ୍ କରିବାକୁ ପଡ଼ିବ। ଏହି ନିୟମର କାର୍ଯ୍ୟକାରିତାକୁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଅଧିକାରୀମାନେ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ। ୨୦୨୫ ମେ’ ୨୭ ସୁଦ୍ଧା କେନ୍ଦ୍ର ସରକାର ୨୯୮.୧୮ ଲକ୍ଷ ଟନ୍ ଗହମ ସଂଗ୍ରହ କରିଛନ୍ତି ଯାହା ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍କିମ୍‌ର ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ।

Leave a comment