ବାଲିଯାତ୍ରାରେ ୧୦୦ କୋଟିର ବେପାର

କଟକ:  କଟକ ବାଲିଯାତ୍ରାରେ ଏଥର ଭଲ ବେପାର ହୋଇଛି । ବାଲିଯାତ୍ରା  ଶେଷ ହେବା ପରେ ଚଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପୂର୍ବର ସବୁ ରେକର୍ଡକୁ ଟପିଯାଇଥିବା ଜଣାପଡିଛି। ଲୋକ ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ ଏକପ୍ରକାର ବୋହି ନେଇଛନ୍ତି।  ବାଲିଯାତ୍ରାରେ ଅନେକ ଷ୍ଟଲର ସବୁ ସାମଗ୍ରୀ ସରି ଯାଇଥିବା ବେଳେ ବ୍ୟବସାୟୀ ଦିନ ୧୨ଟା ବେଳକୁ ପଡ଼ିଆ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ବାଲିଯାତ୍ରା ୯ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଏହି ୯ ଦିନର ବ୍ୟବସାୟ ୧୦୦ କୋଟି ଟଙ୍କା ଟପି ଯାଇଥିବା ଆକଳନ କରାଯାଉଛି। ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହେବା ଘଟଣା କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି। ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବାକୁ ଥିବା ବେଳେ ପ୍ରବଳ ଭିଡ଼ ଓ ଲୋକଙ୍କ ଉତ୍ସାହକୁ ନଜରରେ ରଖି ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି ରାଯାଇଥିଲା। ଡିସେମ୍ବର ୫ ତାରିଖ ମଙ୍ଗଳବାର ଦିନ ବାଲିଯାତ୍ରା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ସବୁଠୁ ଅଧିକ ବେପାର ହୋଇଛି ଓରମାସ୍‌ ଷ୍ଟଲ୍‌ରେ। ବାଲିଯାତ୍ରା ତଳ ପଡ଼ିଆରେ ଓରମାସ ପରିସରରେ ଚଳିତ ବର୍ଷ ମୋଟ ୪୫୦ ଷ୍ଟଲ୍ ପଡିଥିଲା।