୧୮ ମାସ ପାଇଁ ଗୁଗଲ୍ ଏଆଇ ପ୍ରୋ ପ୍ଲାନ୍ ମାଗଣା
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୁଗଲ୍ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗିତା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ଜିଓ ଗ୍ରାହକମାନଙ୍କୁ ୧୮ ମାସ ପାଇଁ ଗୁଗଲ୍ ଏଆଇ ପ୍ରୋ ପ୍ଲାନ୍ ମାଗଣାରେ ମିଳିବ। ଏମିତିରେ ପ୍ଲାନ୍ର ମୂଲ୍ୟ ୩୫,୧୦୦ ଟଙ୍କା ରହିଛି। କିନ୍ତୁ ଜିଓ ଗ୍ରାହକମାନେ ତାହାକୁ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ସେମାନେ ଗୁଗଲ୍ ଜେନିମି ୨.୫ ପ୍ରୋ, ନାନୋ ବନାନା ଓ ଭିଓ ୩.୧ ମଡେଲ୍ ଆଦିକୁ ବ୍ୟବହାର କରିପାରିବେ। ଅଧ୍ୟୟନ ଓ ଗବେଷଣା ପାଇଁ ନୋଟ୍ବୁକ୍ ଏଲ୍ଏମ୍ ଓ ୨ ଟିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ସେବା ପାଇପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେବା ୧୮-୨୫ ବର୍ଷ ବୟସର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ। ଆଗାମୀ ଦିନରେ ସବୁ ଗ୍ରାହକ ଏହି ସୁବିଧା ପାଇପାରିବେ। କେବଳ ୫ଜି ଅସୀମିତ ପ୍ଲାନ ନେଇଥିବା ଗ୍ରାହକମାନଙ୍କୁ ଏଆଇ ସୁବିଧା ପ୍ରଦାନ କରାଯିବ। ରିଲାଏନ୍ସ ଇଣ୍ଟେଲିଜେନ୍ସ ଲିମିଟେଡ୍ ଓ ଗୁଗଲ୍ ମିଳିତ ଭାବେ ଜିଓ ଗ୍ରାହକମାନଙ୍କ ପାଇଁ ଏହି ସୁବିଧା ଆଣିଛନ୍ତି। ପରବର୍ତ୍ତୀ ସମୟରେ ପ୍ରତିଟି ଗ୍ରାହକ, ସଂସ୍ଥା ଓ ଡେଭଲପରଙ୍କୁ ସେଥିରେ ଯୋଡ଼ାଯିବ।
ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ୧୪୫ କୋଟି ଭାରତୀୟଙ୍କ ପାଖରେ ଏଆଇ ସେବା ପହଞ୍ଚାଇବା। ଗୁଗଲ୍ ଭଳି ଏକ ଦୀର୍ଘକାଳୀନ ସହଯୋଗୀ ସହିତ ଆମେ ଭାରତକୁ ଏଆଇ ସକ୍ଷମ ଓ ଏଆଇ ସମର୍ଥ କରିବାକୁ ଚାହୁଛୁ ବୋଲି ସେ କହିଛନ୍ତି। ଗୁଗଲ୍ର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ଭାରତର ଡିଜିଟାଲ ଭବିଷ୍ୟତକୁ ସାକାର କରିବା ଦିଗରେ ରିଲାଏନ୍ସ ଆମ ପାଇଁ ଏକ ପ୍ରମୁଖ ଅଂଶୀଦାର। ଏହି ପଦକ୍ଷେପ ଭାରତୀୟ ଗ୍ରାହକ, ବ୍ୟବସାୟ ଓ ଡେଭଲପର୍ମାନଙ୍କ ପାଖରେ ଗୁଗଲ୍ର ଅତ୍ୟାଧୁନିକ ଏଆଇ ଟୁଲ୍ ପହଞ୍ଚାଇବ।