ଦୁଇଥାକିଆ ହେଲା ଜିଏସ୍‌ଟି ଢାଞ୍ଚା, ଶସ୍ତା ହେଲା ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍‌ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ଉଚ୍ଛେଦ କରାଯାଇଛି। ଏଥିସହିତ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି, ଯାହା ହାନିକାରକ ପଦାର୍ଥ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରାଯିବ। ନୂଆ ଜିଏସ୍‌ଟି ସ୍ଲାବ୍ ଚଳିତ ବର୍ଷ ନବରାତ୍ରିର ପ୍ରଥମ ଦିନ ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ‌ଜିଏସ୍‌ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି ୨୮ ପ୍ରତିଶତ ଜିଏସ୍‌ଟି ଓ ସେସ୍‌ ବଳବତ୍ତର ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଜିଏସ୍‌ଟି ହ୍ରାସ ଦ୍ବାରା ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଶ୍ରମ ସମ୍ବେଦନଶୀଳ କ୍ଷେତ୍ର, ସ୍ବାସ୍ଥ୍ୟ, ଶିକ୍ଷା, ଅଟୋମୋବାଇଲ୍‌ ଓ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍‌ସେସ୍‌ କ୍ଷେତ୍ର ଉପକୃତ ହେବେ।

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସ୍ବରୂପ ସମସ୍ତ ବ୍ୟକ୍ତିଗତ ଜୀବନ ବୀମା, ସ୍ବାସ୍ଥ୍ୟ ବୀମା, ରି-ଇନ୍‌ସ୍ୟୁରାନ୍ସ ଏବଂ ୩୩ଟି ଜୀବନରକ୍ଷାକାରୀ ଔଷଧ ଉପରୁ ଜିଏସ୍‌ଟି ଉଚ୍ଛେଦ କରାଯାଇଛି। ସେହିପରି ଦୁଗ୍ଧ, ପନିର, ଛେନା, ସବୁପ୍ରକାର ରୁଟି ଓ ପରଟା ଏବଂ ପାଉଁରୁଟିକୁ ଟିକସମୁକ୍ତ କରାଯାଇଛି। ଶିକ୍ଷାରେ ବ୍ୟବହାର ହେଉଥିବା ମାନଚିତ୍ର, ଚାର୍ଟ ଓ ଗ୍ଲୋବ୍‌ସ, ପେନ୍‌ସିଲ୍‌, ସାର୍ପେନର୍‌, କ୍ରେୟନ୍, ପାଷ୍ଟେଲ୍‌, ଏକ୍ସସରସାଇଜ୍ ବୁକ୍, ନୋଟ୍‌ବୁକ୍ ଓ ଲିଭାଇବା ରବର୍‌ ଉପରୁ ମଧ୍ୟ ଜିଏସ୍‌ଟି ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଜିନିଷଗୁଡ଼ିକ ୧୨ ପ୍ରତିଶତ ଓ ୫ ପ୍ରତିଶତ ସ୍ଲାବ୍‌ରେ ଥିଲା। ଜିଏସ୍‌ଟି ପରିଷଦ ଜାରି କରିଥିବା ସୂଚନା ଅନୁସାରେ କେଶ ତୈଳ, ସାମ୍ପୁ, ଟୁଥ୍‌ପେଷ୍ଟ, ଶୌଚାଳୟ ସାବୁନ, ବାର୍, ଦାନ୍ତଘଷା ବ୍ରସ୍‌ ଓ ସେଭିଂ କ୍ରିମ୍‌, ବଟର, ଘିଅ, ଚିଜ୍, ଦୁଗ୍ଧ ସ୍ପ୍ରେଡ୍‌, ପ୍ୟାକିଂ ପୂର୍ବରୁ ନମକିନ୍, ଭୁଜିଆ, ମିକ୍ସଚର୍‌, ବାସନକୁସନ, ଶିଶୁଙ୍କୁ ପାନ କରାଯାଉଥିବା ବୋତଲ, ଶିଶୁଙ୍କ ନାପ୍‌କିନ୍ ଓ କ୍ଲିନିକାଲ୍‌ ଡାଇପର୍‌, ସିଲାଇ ମେସିନ୍ ଓ ତାହାର ପାର୍ଟସ୍‌କୁ ୫ ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି। ପୂର୍ବରୁ ଏହି ଜିନିଷଗୁଡ଼ିକ ମଧ୍ୟରୁ ଅଧିକାଂଶ ୧୨ ପ୍ରତିଶତ ସ୍ଲାବ୍‌ରେ ଓ ଅଳ୍ପ ୧୮ ପ୍ରତିଶତ ସ୍ଲାବ୍‌ରେ ଥିଲା।

 

Leave a comment