ରାଜଧାନୀରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ: ବଢ଼ାଉଛି ଆତଙ୍କ

ଦିଲ୍ଲୀ: ରବିବାର ପ୍ରଥମ ମଙ୍କିପକ୍ସ ରୋଗୀ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । କେରଳ ପରେ ଦିଲ୍ଲୀରେ ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ମାମଲା ୪କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ କେରଳରେ ୩ଟି ମାମଲା ଚିହ୍ନଟ ହୋଇଥିଲା । ଦେଶରେ ଚତୁର୍ଥ ମାମଲା ଚିହ୍ନଟ ପରେ କେନ୍ଦ୍ର ପକ୍ଷରୁ ଏକ ଜରୁରି ବୈଠକ ଡକାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ (ଡିଜିଏଚ୍‌ଏସ୍‌) ଅଧ୍ୟକ୍ଷତା କରିଥିଲେ । ଏହା ପରେ ବିଭିନ୍ନ ରାଜ୍ୟକୁ ସତର୍କ ରହିବା ପାଇଁ କୁହାଯାଇଛି । ଏହି ମାରାତ୍ମକ ରୋଗ ପାଇଁ ହସପିଟାଲରେ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ (ଏନ୍‌ସିଡିସି) ଏବଂ ଆଇସିଏମ୍‌ଆର୍‌ ଭଳି ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ । ସରକାରୀ ସୂତ୍ର ମୁତାବକ ଦିଲ୍ଲୀରେ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ପାଖାପାଖି ୩୪ ହେବ । ହିମାଚଳ ପ୍ରଦେଶର ମନାଲିରେ ଅନୁଷ୍ଠିତ ଏକ ପାର୍ଟିରେ ସେ ଯୋଗଦେଇଥିଲେ । ସେହିଠାରୁ ସେ ଭୂତାଣ ସଂସ୍ପର୍ଶରେ ଆସିଥାଇ ପାରନ୍ତି । ଏହି ଖବର ପରେ ହିମାଚଳ ପ୍ରଦେଶରେ ଏବେ ଆତଙ୍କ ଖେଳିଯାଇଛି ।